୧୭ ବର୍ଷ ପରେ ଦେଶରେ ପୁଣି ଖୋଲିବ ନୂଆ Cooperative Bank, RBI ଦେଲା ସଙ୍କେତ

0

ଦେଶରେ ଖୁବଶୀଘ୍ର ନୂଆ କୋ-ଅପରେଟିଭ୍ ବ୍ୟାଙ୍କ ଖୋଲିବ । ୧୭ ବର୍ଷ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୋ-ଅପରେଟିଭ୍ ବ୍ୟାଙ୍କ ପାଇଁ ଲାଇସେନ୍ସ ବନ୍ଦ କରିଦେଇଥିଲା । ମାତ୍ର ଏହି ପ୍ରକିୟା ପୁଣି ଥରେ ସମଗ୍ର ଭାରତବର୍ଷରେ ଆରମ୍ଭ ହେବାକୁ ଯାଉଛି । ଆରବିଆଇ ଏ ନେଇ ସଙ୍କେତ ଦେଇଥିବା ବେଳେ ନୂଆ କରି ସୃଷ୍ଟି ହୋଇଥିବା ସହଯୋଗ ମନ୍ତ୍ରଣାଳୟର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଜଣାପଡ଼ିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ମ୍ୟାନେଜମେଣ୍ଟ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ଥିବା କୋ-ଅପରେଟିଭ୍ କ୍ରେଡିଟ୍ ସୋସାଇଟିକୁ ନୂଆ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ଭାବେ ଲାଇସେନ୍ସ ମିଳିବ । ତେବେ ଏହି ବ୍ୟାଙ୍କରେ ୧୦୦ କୋଟିରୁ ଅଧିକ ଜମା ରଖିବାକୁ ଧ୍ୟାନ ଦିଆଯିବା ସହ ପରିଚାଳନା ବୋର୍ଡ ଓ ଭାରତୀୟ ବ୍ୟାଙ୍କ ସଂଘ ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ବର୍ତ୍ତମାନ ସରକାର ନୂଆ କରି ସୃଷ୍ଟି କରିଥିବା ସହଯୋଗ ମନ୍ତ୍ରଣାଳୟ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ନିୟମ ଓ ଭବିଷ୍ୟତ ନିର୍ଦ୍ଧାରଣ ନେଇ ସମୀକ୍ଷା କରିବ । ସଂସଦର ମୌସୁମୀ ଅଧିବେଶନ ପରେ ସହଯୋଗ ମନ୍ତ୍ରଣାଳୟ ସହ ଆରବିଆଇ ଓ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟ କରିବେ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ନୂଆ ସହଯୋଗ ମନ୍ତ୍ରଣାଳୟର ଦାୟିତ୍ୱ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଆଯାଇଛି ।

ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏନଏସ ବିଶ୍ୱନାଥନଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ୧୫ରୁ ୨୦ ଦିନ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବ । ପୂର୍ବରୁ ସମବାୟ ବ୍ୟାଙ୍କ ଗଠନ ପାଇଁ ନିଆଯାଇଥିବା ନିୟାମକ ପଦକ୍ଷେପ ଓ ଗତ ୫ ବର୍ଷ ମଧ୍ୟରେ ଏହାର ପ୍ରଭାବକୁ ଆକଳନ କରିବାକୁ ଆରବିଆଇ ଏହି କମିଟି ଗଠନ କରିଛି । ଦେଶରେ ବର୍ତ୍ତମାନ ମୋଟ ୧୫୩୯ଟି ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ରହିଥିବା ବେଳେ ୨୦୦୪ରେ ୧୯୨୬ଟି ଥିଲା । ନିକଟ ଅତୀତରେ ଆରବିଆଇ ଅର୍ବାନ କୋ-ଅପରେଭିଟ୍ ବ୍ୟାଙ୍କର ପରିଚାଳନା ଓ ନିୟମକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ପିଏମସି ବ୍ୟାଙ୍କର ବିଫଳତା ପରେ ଆରବିଆଇ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.