ଟି-୨୦ ବିଶ୍ୱ କପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇ ପାରନ୍ତି ଅନିଲ କୁମ୍ବଲେ

0

ୟୁଏଇ ଓ ଓମାନରେ ଖେଳା ଯିବାକୁ ଥିବା ଆଇସିସି ଟି-୨୦ ବିଶ୍ୱ କପ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ନୂତନ କୋଚ୍ ସନ୍ଧାନରେ ରହିଛି । କୁହାଯାଉଛି ଯେ, ଭାରତୀୟ ଦଳର ପୂର୍ବତନ କୋଚ୍ ଅନିଲ କୁମ୍ବଲେଙ୍କୁ ପୁଣି ଥରେ ଦଳକୁ ଫେରି ପାରନ୍ତି । ଖବର ମୁତାବକ ଅନିଲ କୁମ୍ବଲେ ଦଳର ମୁଖ୍ୟ କୋଚ୍ ହେବାକୁ ସହମତି ପ୍ରକାଶ କରିଛନ୍ତି ।

ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ ଏହି କଥା କାହାକୁ ଅଛପା ନୁହେଁ ଯେ, ଅନିଲ କୁମ୍ବଲେ ମୁଖ୍ୟ କୋଚ୍ ଭାବେ ନିଜର ପ୍ରଥମ କାର୍ଯ୍ୟକାଳରେ ଭଲ କାମ କରିଥିଲେ । ଏବେ ଏହି ପୂର୍ବତନ ଅଧିନାୟକଙ୍କ ଉପରେ ନିର୍ଭର କରେ ଯେ, ସେ ଦ୍ୱିତୀୟ ଥର ଭାରତୀୟ ଦଳର କୋଚ୍ ହେବେ କି ନାହିଁ । ଯଦି କୁମ୍ବଲେ ଭାରତୀୟ ଦଳର ମୁଖ୍ୟ କୋଚ୍ ହୁଅନ୍ତି ତେବେ ଅଧିନାୟକ ବିରାଟ କୋହଲିଙ୍କ ମୁସ୍କିଲ ବଢିପାରେ । କାରଣ ଉଭୟଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଛି ।

ଅନିଲ କୁମ୍ବଲେ ୨୦୧୭ରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ସେହି ସମୟରେ ଅନେକ ଖବର ସାମ୍ନାକୁ ଆସିଥିଲା ଯେ, ଅଧିନାୟକ ବିରାଟ କୋହଲି ଏବଂ କୋଚ୍ କୁମ୍ବଲେଙ୍କ ମଧ୍ୟରେ ମତଭେଦ ରହିଛି । ଏହା ପରେ କୁମ୍ବଲେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ପରେ ବିସିସିଆଇ ରବି ଶାସ୍ତ୍ରୀଙ୍କୁ କୋଚ୍ ଭାବେ ନିଯୁକ୍ତ କରିଥିଲା । ଏବେ ଟି-୨୦ ବିଶ୍ୱ କପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି ।

୨୦୧୬ରେ ଅନିଲ କୁମ୍ବଲେଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ କରାଯାଇଥିଲା । ତାଙ୍କ କୋଚିଂ ସମୟରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଥିଲା । ହେଲେ ଫାଇନାଲରେ ଭାରତକୁ ପାକିସ୍ତାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଉଲ୍ଲେଖନୀୟ ବର୍ତ୍ତମାନ କୁମ୍ବଲେ ଆଇପିଏଲ ଟିମ୍ ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍ ଅଛନ୍ତି । କୁହାଯାଉଛି ଯେ, ବିସିସିଆଇ କୁମ୍ବଲେଙ୍କୁ ଯୋଗାଯୋଗ କରିବା ପୂର୍ବରୁ ଶ୍ରୀଲଙ୍କାର ମୋହଲେ ଜୟବର୍ଦ୍ଧନେଙ୍କ ସହ ଯୋଗାଯୋଗ କରିଥିଲା ।

Leave A Reply

Your email address will not be published.