କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୋମ୍ମାଇ

0

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସଭରାଜ ବୋମ୍ମାଇ । ବୋମ୍ମାଇ ରାଜ୍ୟର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ସେ କର୍ଣ୍ଣାଟକ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ବି.ଏସ. ୟେଦ୍ଦୁରାପ୍ପାଙ୍କ ଇସ୍ତଫା ପରେ ବିଜେପି ବିଧାୟକ ଦଳ ବୈଠକରେ ବୋମାଇଙ୍କ ନାମରେ ମୋହର ମରାଯାଇଥିଲା । ଆଜି ଦିନ ୧୧ଟାରେ ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତେବେ ଆଜି କେବଳ ମୁଖ୍ୟମନ୍ତ୍ରୀ ବୋମାଇ ଶପଥଗ୍ରହଣ କରିଥିବା ବେଳେ ମନ୍ତ୍ରିମଣ୍ଡଳର ବିସ୍ତାର ପରେ କରାଯିବ ବୋଲି ଜଣାପଡ଼ିଛି ।

୧୯୬୦ ମସିହା ଜାନୁଆରୀ ମାସ ୨୮ ତାରିଖରେ ବୋମ୍ବାଇ ହୁବଲିରେ ଜନ୍ମଗ୍ରହଣ କରିଥିଲେ । ବୋମ୍ମାଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପାଙ୍କ ଜଣେ ଘନିଷ୍ଠ ସହଯୋଗୀ ଛଡ଼ା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର ବୋମ୍ମାଇଙ୍କ ପୁତ୍ର ଅଟନ୍ତି । ଶପଥ ଗ୍ରହଣ ପୂର୍ବରୁ ସେ ମନ୍ଦିର ଯାଇ ଦର୍ଶନ କରିଥିଲେ । ଶପଥ ଗ୍ରହଣ ପୂର୍ବରୁ ରାଜଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେ ୨୦୦୮ ମସିହାରେ ଭାରୀୟ ଜନତା ପାର୍ଟି ସହିତ ଜଡ଼ିତ ରହିଛନ୍ତି । ଦେଶରେ ୨୦୨୪ ଓ ରାଜ୍ୟ ବିଧାନସଭାକ ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ମୁଖିଆ ପରିବର୍ତ୍ତନ କରାଯାଉଥିବାରୁ ବୋମାଇ ଦଳକୁ ବଳିଷ୍ଠ ନେତୃତ୍ୱ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି । ୟେଦ୍ଦୁଙ୍କ ଇସ୍ତଫା ପରେ ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସୁଥିଲେ ହେଁ ଶେଷରେ ବୋମ୍ମାଇଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି ।

Leave A Reply

Your email address will not be published.