ଘରୋଇ କ୍ରିକେଟରଙ୍କ ଉପରେ ବିସିସିଆଇ କରିବ ଧନ ବର୍ଷା, ଦୀପାବଳି ପୂର୍ବରୁ ମିଳିବ ବମ୍ପର ଅଫର

0

ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଘରୋଇ କ୍ରିକେଟରଙ୍କ ଉପରେ କରିବାକୁ ଯାଉଛି ଧନ ବର୍ଷା । ଦୀପାବଳି ପୂର୍ବରୁ କ୍ରିକେଟରଙ୍କ ବେତନ ବଢିବାକୁ ଯାଉଛି । ସେପ୍ଟେମ୍ବର ୨୦ରେ ବସିବାକୁ ଥିବା ବିସିସିଆଇର ଉଚ୍ଚସ୍ତରୀୟ ବୈଠକରେ ଘରୋଇ କ୍ରିକେଟରଙ୍କ ଫିରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ଘଟିପାରେ । ବୋର୍ଡ ରାଜ୍ୟ ସଂଘ ସହ ମିଶି ଘରୋଇ କ୍ରିକେଟରଙ୍କୁ କେନ୍ଦ୍ରୀୟ ଅନୁବନ୍ଧ ମଧ୍ୟ ଦେଇପାରେ ।

ସ୍ପୋର୍ଟ୍ସଷ୍ଟାରର ରିପୋର୍ଟ ଅନୁଯାୟୀ, ଫାଷ୍ଟ କ୍ଲାସ ଓ ଲିଷ୍ଟ ଏ ଖେଳିଥିବା କ୍ରିକେଟରଙ୍କ ବେତନ ବୃଦ୍ଧି କରାଯାଇ ୫୦ ହଜାର ଟଙ୍କା କରାଯାଇପାରେ । ଟି ୨୦ ମ୍ୟାଚ୍ ପାଇଁ ଖେଳାଳିଙ୍କୁ ୨୫ ହଜାର ଟଙ୍କା ମିଳିପାରେ । ଏ ପଯ୍ୟନ୍ତ ଖେଳାଳିଙ୍କୁ ରଣଜୀ ଟ୍ରଫି ପାଇଁ ପ୍ରତି ଦିନ ୩୫ ହଜାର ଟଙ୍କା ଏବଂ ବିଜୟ ହଜାରେ ଟ୍ରଫିରେ ୩୫ ହଜାର ଟଙ୍କା ମ୍ୟାଚ୍ ଫି ହିସାବରେ ମିଳୁଥିଲା । ସୈୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଖେଳାଳିଙ୍କୁ ମ୍ୟାଚ୍ ପିଛା ୧୭,୫୦୦ ଟଙ୍କା ମିଳିଥାଏ । ରିଜର୍ଭ ଖେଳାଳିଙ୍କୁ ମ୍ୟାଚ୍ ଫିର ୫୦ ପ୍ରତିଶତ ବେତନ ମିଳିଥାଏ । ହେଲେ ଏଥିରେ ଏବେ ବୃଦ୍ଧି ଘଟିବାକୁ ଯାଉଛି ।

ବିସିସିଆଇ ଅଧ୍ୟକ୍ଷ ହେବା ପରେ ୨୦୧୯ରେ ସୌରଭ ଗାଙ୍ଗୁଲି ଏକ କେନ୍ଦ୍ରୀୟ ଅନୁବନ୍ଧ ଘୋଷଣା କରିଥିଲେ । ଏବେ ଏହା ଲାଗୁ ହେବାକୁ ଯାଉଛି । ଏପରିକି ମହିଳା କ୍ରିକେଟ୍ ଖେଳାଳିଙ୍କ ମଧ୍ୟ ମ୍ୟାଚ୍ ଫି ବଢିବାର ଆଶା କରାଯାଉଛି । ବର୍ତ୍ତମାନ ମହିଳା କ୍ରିକେଟ୍ ଖେଳାଳିଙ୍କ ପ୍ରତି ଦିନିକିଆରେ ୧୨, ୫୦୦ ଟଙ୍କା ଏବଂ ଟି-୨୦ ପାଇଁ ୬୨୫୦ ଟଙ୍କା ଫି ମିଳିଥାଏ । ମହିଳା ଖେଳାଳିଙ୍କ ମ୍ୟାଚ୍ ଫିରେ ୨୫ ରୁ ୪୦ ପ୍ରତିଶତ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଘରୋଇ କ୍ରିକେଟ୍ ଖେଳାଳିଙ୍କୁ କରୋନା କାରଣରୁ ଖେଳି ପାରିନଥିବା ରଣଜୀ ମ୍ୟାଚର ୫୦ ପ୍ରତିଶତ ଫି ମିଳିବାର ସମ୍ଭାବନା ରହିଛି । ଏହାର ମଞ୍ଜୁରୀ ବିସିସିଆଇର ଉଚ୍ଚସ୍ତରୀୟ ପରିଷଦ ବୈଠକରେ ଦିଆଯାଇପାରେ ।

Leave A Reply

Your email address will not be published.