ବିଜେଡି ନେତାଙ୍କ ବୟାନ ପରେ ବଦଳିବେ କି ପୋଲିସ କମିଶନର ?

0

୦୪/୦୧/୨୦୨୦: (ଓଡ଼ିଆନ୍ୟୁଜ ବ୍ୟୁରୋ): ଖୁବଶୀଘ୍ର ବିଦା ହୋଇପାରନ୍ତି ଟୁଇନ ସିଟି (କଟକ- ଭୁବନେଶ୍ୱର) ପୋଲିସ କମିଶନର ଡ଼ା. ସୁଧାଂଶୁ ଷଡ଼ଙ୍ଗୀ । ବିଜେଡି ନେତାଙ୍କ ବୟାନ ପରେ ଏହି ଚର୍ଚ୍ଚା ଅଧିକ ଜୋର ଧରିଛି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଯେଉଁଭଳି ଢଙ୍ଗରେ ଗଣମାଧ୍ୟମ ଆଗରେ ପୁଲିସ କମିଶନରଙ୍କୁ ସମାଲୋଚନା କଲେ ତାକୁ ନେଇ ହିଁ ସବୁ ମହଲରେ ଚର୍ଚ୍ଚା ଅଧିକ ଦେଖାଯାଇଛି ।

ରାଜ୍ୟର ପାୱାର ସେଣ୍ଟର ପାଲଟିଥିବା ତୃତୀୟ ମହଲାର ବିନା ଇସାରାରେ ବିଜେଡିରେ ପତ୍ର ହଲୁନଥିବା ବେଳେ ଦଳୀୟ ମୁଖପାତ୍ର ଶ୍ରୀ ମହାନ୍ତି ବ୍ୟକ୍ତିଗତ ଭାବେ ଗଣମାଧ୍ୟମକୁ ଡାକି ଜଣେ ବରିଷ୍ଠ ଆଇପିଏସଙ୍କ ବିରୁଦ୍ଧରେ ବୟାନ ଦେବେ ତାହାକୁ ଆଇପିଏସ୍ ମହଲରେ ସହଜରେ ଗ୍ରହଣ କରାଯାଇ ପାରୁନଥିବା ଜଣାପଡ଼ିଛି ।

ମହିଳା ଏସପିଓମାନଙ୍କୁ ନିଯୁକ୍ତି ଦିଆଯିବା ଅବସରରେ ସେମାନଙ୍କର ମନୋବଳ ବୃଦ୍ଧି କରିବା ଓ ମହିଳାମାନେ ସ୍ୱାବଲମ୍ବୀ ହେବା ପ୍ରସଙ୍ଗରେ କଥା ଛଳରେ ପୋଲିସ କମିଶନର କହିଥିଲେ ଯେ “ଜଣେ ମହିଳା କ’ଣ କାମ କରୁଛି ତା’ର ଗୁରୁତ୍ୱ ପୁରୁଷ ବୁଝିବା ଉଚିତ୍ । ଲୋକେ କହିବେ ରୋଷେଇ କରିବା ହେଉଛି ମହିଳାଙ୍କ କାମ । କିନ୍ତୁ ସେହି ରୋଷେଇ କେତେ କଷ୍ଟ ତାହା ଜଣେ ପୁରୁଷ ବୁଝିବା ଜରୁରୀ । ପରିହାସ ଛଳରେ ସେ ଯୁବତୀମାନଙ୍କୁ କହିଥିଲେ ଯେ, ବିବାହ କରିବା ପୂର୍ବରୁ ପୁଅଟିଏ ରୋଷଇ ଜାଣିଛି କି ନାହିଁ ତାହା ଝିଅମାନେ ପଚାରିବା ଉଚିତ୍ ।”

ତେବେ ଏସବୁ କଥା ସମାଜରେ ମହିଳାଙ୍କ ଗୁରୁତ୍ୱ ଓ ସେମାନଙ୍କର ମନୋବଳ ବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଥିବା ବେଳେ ଶାସକ ବିଜେଡି ‘ଜିରାରୁ ଶିରା କାଢ଼ିବା’ ଭଳି ନୀତି କାହିଁକି ଆପଣାଇଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ସମାଜକୁ ଆଗେଇ ନେବା ପାଇଁ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନତା ରହିବା ଉଚିତ୍ । କେବଳ ମହିଳା ଏସପିଓଙ୍କୁ ନିଯୁକ୍ତି ଦେଲେ ସମାଜରେ ସନ୍ତୁଳନ କାଏମ ହୋଇପାରିବ ନାହିଁ । ଯଦି ମିଳିତ ଭାବେ ପୁରୁଷ ଓ ମହିଳା ଏକାଠି କାର୍ଯ୍ୟ କରିବେ ତା’ହେଲେ ସମାଜରେ ଅନେକ କାମ ସଫଳ ହୋଇପାରିବ ।

ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ କରୁଛନ୍ତି । ୨୭୦ଜଣ ମହିଳା ଏସପିଓ ନିଯୁକ୍ତିକୁ ସେ ବିରୋଧ କରୁନାହାନ୍ତି କିନ୍ତୁ ଅତି କମରେ ୧୦୦ଜଣ ପୁରୁଷଙ୍କୁ ମଧ୍ୟ ଏଭଳି ନିଯୁକ୍ତି ଦିଆଯିବାର ଆବଶ୍ୟକତା ଥିଲା । ସେ ରୋଷେଇ ଜାଣନ୍ତି ନାହିଁ କିନ୍ତୁ ଏହା ଅର୍ଥ ନୁହେଁ ଯେ ସେ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ । କମିଶନର ଏଭଳି ଶସ୍ତା ବୟାନରୁ କ୍ଷାନ୍ତ ରହିବା ଉଚିତ୍ ବୋଲି ବିଜେଡ଼ି ମୁଖପାତ୍ର କହିଥିଲେ । ଏବେ କିନ୍ତୁ କୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ଚର୍ଚ୍ଚ ଅଧିକ ।

Leave A Reply

Your email address will not be published.