ବିପଦର ଘଣ୍ଟି: ମହାବାତ୍ୟା ‘ଆମ୍ଫାନ୍’ ପରେ ପୁଣି ଜୁନ 3ରେ ବିନାଶ ରଚିବ ଆଉ ଏକ ବାତ୍ୟା ‘ନିସର୍ଗ’

0

ଆରବ ସମୁଦ୍ର ଉପରେ ଧୀରେ ଧୀରେ ଆକାର ନେଉଥିବା ଏକ ନିମ୍ନ ଚାପର କ୍ଷେତ୍ର ଆସନ୍ତା 48 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟରେ ସୃଷ୍ଟି ହେବାରେ ଲାଗିଛି । ଯାହା 3 ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଜାତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଯାହାର ନାମ ‘ନିସର୍ଗ’ ବୋଲି ପାଣିପାଗ ସୂତ୍ରରୁ ଜଣାପଡିଛି ।

ଏହି ବାତ୍ୟା ଜୁନ୍ 3 ରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପଶ୍ଚିମବଙ୍ଗରେ ମହାବାତ୍ୟା ‘ଆମ୍ଫାନ୍’ ବିନାଶର ଚିତ୍ର ଛାଡି ଯିବାର କିଛି ଦିନ ପରେ ଏହି ଚେତାବନୀ ଦିଆଯାଇଛି ।

ଇତିମଧ୍ୟରେ ଆଇଏମଡି ଟୁଇଟ୍ କରି ଜଣାଇଛି ଯେ, ଆରବ ସାଗର ଉପରେ ନିମ୍ନ-ଚାପ ଅଞ୍ଚଳ ଆସନ୍ତା 48 ଘଣ୍ଟା ମଧ୍ୟରେ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ । ଏହା ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଉପକୂଳରେ 3 ଜୁନ୍ ସକାଳେ ପହଞ୍ଚିବ ।

ପବନର ବେଗ ବଢିବା ସାଙ୍ଗକୁ ଏହାର ବେଗ 45-55 କିଲୋମିଟର ଘଣ୍ଟା ପ୍ରତି ରହିବ ଯାହା ପରବର୍ତୀ ସମୟରେ 65 କିଲୋମିଟର ଘଣ୍ଟା ପ୍ରତି ବେଗରେ ଗତି କରିବ । ଆସ୍ତେ ଆସ୍ତେ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏବଂ କର୍ଣ୍ଣାଟକ-ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ଜୁନ 2 ସକାଳୁ ପବନର ବେଗ 65-75 କିଲୋମିଟର ଘଣ୍ଟା ପ୍ରତି ରହିବ ଯାହା ବୃଦ୍ଧି ହୋଇ 85 ଘଣ୍ଟା ପ୍ରତି କିଲୋମିଟରରେ ପହଂଚିବ । ଧୀରେ ଧୀରେ ବାତ୍ୟାର ବେଗ ବଢୁଥିବା ସୂଚନା ମିଳିଛି ।

ସେପଟେ ମୁମ୍ବାଇର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବରୁ ଟୁଇଟ୍ କରି କହିଛି ଯେ, ଦକ୍ଷିଣ-ପୂର୍ବ ତଥା ଏହାର ପୂର୍ବ ଆରବ ସମୁଦ୍ର ଏବଂ ଲକ୍ଷ୍ମଦ୍ୱୀପ ଅଞ୍ଚଳରେ ଏକ ନିମ୍ନ-ଚାପ ଅଞ୍ଚଳ ସୃଷ୍ଟି ହୋଇଛି ।

ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଉଥିବାରୁ ଦେଶର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏଜେନ୍ସି କହିଛି ।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ, ଜୁନ୍ 1 (ଆଜି) ଲକ୍ଷ୍ମୀଦୀପ ଅଞ୍ଚଳ, କେରଳ ଏବଂ ଉପକୂଳ କର୍ଣ୍ଣାଟକ ଉପରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

3 ଜୁନ୍ ରେ ଦକ୍ଷିଣ ଗୁଜୁରାଟ, ଦାମନ, ଡିୟୁ, ଦାଦ୍ରା ଏବଂ ନାଗର ହାଭେଲି ଉପରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ।

ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ ଏବଂ ଲକ୍ଷ୍ମୀଦ୍ୱୀପ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳରେ ଚାରି ମିଟର ପର୍ଯ୍ୟନ୍ତ ଉଚ୍ଚ ଢେଉ ଆସିବ ବୋଲି ଆଇଏମଡି ଚେତାବନୀ ଦେଇଛି । ଏହି ସମୟରେ ଧୀବରଙ୍କୁ ସମୁଦ୍ର ଭିତରକୁ ମାଛ ଧରି ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.