ଅମୃତସରରୁ ଦୁବାଇ ପର୍ଯ୍ୟନ୍ତ ଏକାକୀ ଯାତ୍ରା କଲେ ଭାରତୀୟ ବ୍ୟବସାୟୀ, କହିଲେ ‘ମହାରାଜା’ ପରି ଲାଗିଲା

0

ଦୁବାଇରେ ବ୍ୟବସାୟ କରୁଥିବା ଜଣେ ଭାରତୀୟ ବ୍ୟବସାୟୀ ‘ଏୟାର୍‌ ଇଣ୍ଡିଆ’ ଆନ୍ତର୍ଜାତିକ ବିମାନରେ କୌଣସି ସହଯାତ୍ରୀଙ୍କ ବିନା ଏକାକୀ ଯାତ୍ରା କରିଛନ୍ତି । ସେ ଅମୃତସରରୁ ସମ୍ପୂର୍ଣ୍ଣ ଏକାକୀ ଦୁବାଇ ଯାତ୍ରା କରିଥିବା ବେଳେ ଏନେଇ ସେ କହିଛନ୍ତି ଯେ ଏହିପରି ଭାବରେ ଏକାକୀ ଯାତ୍ରା କରି “ମହାରାଜା”ଙ୍କ ଯାତ୍ରା ପରି ଅନୁଭବ ହେଲା । ତେବେ ଏହି ଦୁବାଇ ଭିତ୍ତିକ ବ୍ୟବସାୟୀ ହେଉଛନ୍ତି ଏସ୍‌.ପି. ସିଂହ ଓବେରଇ ।

ସୂଚନା ଅନୁସାରେ, ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବିଶିଷ୍ଟ ବ୍ୟବସାୟୀ ଏସ୍‌.ପି. ସିଂହ ଓବେରଇ ତିନି ଘଣ୍ଟାର ଏହି ଯାତ୍ରା ସମୟରେ ଦେଖିଲେ ଯେ, ପୁରା ବିମାନରେ ତାଙ୍କ ବ୍ୟତୀତ ଆଉ କେହି ବି ଯାତ୍ରୀ ନାହାନ୍ତି । ସେ ହିଁ ଏକ ମାତ୍ର ଯାତ୍ରୀ । ଗଣମାଧ୍ୟମକୁ ଓବେରଇ କହିଛନ୍ତି, “ଅମୃତସରରୁ ଦୁବାଇ ଯିବା ଲାଗି ଜୁନ୍ ୨୩ ତାରିଖ ପ୍ରତ୍ୟୁଷ ୪ଟା ବେଳେ ମୁଁ ଏୟାର୍‌ ଇଣ୍ଡିଆ (ଏଆଇ-୯୨୯) ଆରୋହଣ କଲି । ମୋର ବଡ଼ ସୌଭାଗ୍ୟ ସେ ବିମାନରେ ମୁଁ ହିଁ ଥିଲି ଜଣେ ମାତ୍ର ଯାତ୍ରୀ । ଯାତ୍ରା ସମୟରେ ମତେ ‘ମହାରାଜା’ଙ୍କ ଭଳି ଅନୁଭବ ହେଲା” । ସେ ଆହୁରି ମଧ୍ୟ କହିଛନ୍ତି ଯେ “ବିମାନର ସମସ୍ତ ପରିଚାରକ ମତେ ଉତ୍ତମ ଆତିଥ୍ୟ ଦେଲେ । ଫାଙ୍କା ବିମାନଟିରେ ମୋର ଏକାକୀ ଯାତ୍ରାକାଳୀନ ଫଟୋଚିତ୍ର ମଧ୍ୟ ଉତ୍ତୋଳନ କଲେ । ମୁଁ ମଧ୍ୟ ବିମାନର ପରିଚାରକ ଏବଂ ଚାଳକମାନଙ୍କ ସହ ଫଟୋ ଉଠାଇଲି” ।

ଦୁବାଇରେ ବ୍ୟବସାୟ କରୁଥିବା ୧୦-ବର୍ଷିଆ ଗୋଲ୍‌ଡେନ୍‌ ଭିସାଧାରୀ ଓବେ‌ରଇ ଏହି ୩ଘଣ୍ଟିଆ ବିମାନଯାତ୍ରା ନିମନ୍ତେ ୭୫୦ ଟଙ୍କା ଦେଇ ଟିକେଟ୍‌ କିଣିଥିଲେ । ଓବେରଇ ପୁଣି କହିଛନ୍ତି, ଯଦି ପୁଣି କେବେ ମତେ ଏକାକୀ ବିମାନରେ ଯାତ୍ରା କରିବାର ସୁଯୋଗ ଆସେ, ମୁଁ ଯିବାକୁ ମନା କରିଦେବି । ଜୀବନରେ ଏ ଭଳି ଅନୁଭୂତି ଥରଟିଏ ହେଲେ ଭଲ । ଯାତ୍ରାକାଳୀନ ସମୟ କଟାଇବା ଲାଗି ମୁଁ ବିମାନର ସିଟ୍‌ ଓ ଝରକା ସଂଖ୍ୟା ଗଣୁଥିଲି।

ଏଭଳି ପରିସ୍ଥିତିରେ ବିମାନଯାତ୍ରା ଲାଗି ‘ଏୟାର୍‌ ଇଣ୍ଡିଆ’ ତାଙ୍କୁ ଅନୁମତି ପ୍ରଦାନ କରୁ ନ ଥିଲା । କିନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ହସ୍ତକ୍ଷେପ କରିବା ପରେ ତାଙ୍କୁ ଅନୁମତି ମିଳିଲା । ଅବଶ୍ୟ ‘ୟୁଏଇ’ର ପୂର୍ଣ୍ଣ ସ୍ବୀକୃତି ପ୍ରାପ୍ତ ଟିକାକରଣ ପ୍ରମାଣପତ୍ର ସମେତ ସେ ଯାତ୍ରା ନିମନ୍ତେ ଆବଶ୍ୟକ ସମସ୍ତ ଦସ୍ତାବିଜ ତାଙ୍କ ପାଖରେ ଥିଲା ।

Leave A Reply

Your email address will not be published.