ରବିବାର ହେବ ନିଟ୍ ପରୀକ୍ଷା

0

ସେପ୍ଟେମ୍ବର ୧୨ ତାରିଖ ଅର୍ଥାତ ରବିବାର ହେବ ନିଟ୍ ପରୀକ୍ଷା । ପରୀକ୍ଷା ଘୁଞ୍ଚାଇବା ଦାବିରେ ଦାଖଲ ଆବେଦନକୁ ସୋମବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।  ଏଥିସହ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା(ନିଟ୍) ପାଇଁ ପଥ ପରିଷ୍କାର ହୋଇଛି । ସେପ୍ଟେମ୍ବର ୧୨ରେ ନିଟ୍ ହେବ ବୋଲି ଜୁଲାଇ ୧୨ରେ ଘୋଷଣା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି କରି ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରାଯାଇଥିଲା । ଯାହାକୁ ଆଜି ଖାରଜ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ଶିକ୍ଷା ମନ୍ତ୍ରୀ କହିଛନ୍ତି, ସମସ୍ତ କୋଭିଡ୍ କଟକଣା ପାଳନ କରାଯାଇ ପରୀକ୍ଷା ଆୟୋଜନ ହେବ । ଯେଉଁ ସହରରେ ପରୀକ୍ଷା ଆୟୋଜନ କରାଯିବ ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି  ସହର ସଂଖ୍ୟା ୧୫୫ରୁ ବଢାଯାଇ ୧୯୮ କରାଯାଇଛି । ଗତବର୍ଷ ୩୮୬୨ ପରୀକ୍ଷା କେନ୍ଦ୍ର ତୂଳନାରେ ଏଥର ପରୀକ୍ଷା କେନ୍ଦ୍ରର ସଂଖ୍ୟା ମଧ୍ୟ ବଢାଯାଇଛି । ଗତ ବର୍ଷ କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନ ଏବଂ ସତର୍କତା ସହ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ଆୟୋଜନ ହୋଇଥିଲା । ପରୀକ୍ଷା ଦେଇଥିଲେ ମୋଟ୍ ୧୩.୬୬ ଲକ୍ଷ ପରୀକ୍ଷାର୍ଥୀ । ସେଥିରୁ ୭,୭୧, ୫୦୦ ଜଣ କୃତକାର୍ଯ୍ୟ ହୋଇଥିଲେ । ଏଥର ପରୀକ୍ଷା ୧୧ଟି ଭାଷା- ଇଂରାଜୀ, ହିନ୍ଦୀ, ଆସାମି, ବଙ୍ଗାଳି, ଗୁଜରାଟି, କନ୍ନଡ, ମରାଠି, ଓଡିଆ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁରେ ଆୟୋଜିତ କରାଯିବ ।

Leave A Reply

Your email address will not be published.