ଓଡିଆରେ ବୈଷୟିକ ଶିକ୍ଷା ପ୍ରଚଳନପାଇଁ ପ୍ରସ୍ତୁତି ଆରମ୍ଭ କେନ୍ଦ୍ର ଓ ରାଜ୍ୟ ସରକାର, ବିଶ୍ୱବିଦ୍ୟାଳୟ, ଗବେଷଣା ସଂସ୍ଥାକୁ ନେଇ ଗଢାହେବ କମିଟି

0

ଭୁବନେଶ୍ୱର, ଓଡିଆ ଭାଷାରେ ବୈଷୟିକ ଶିକ୍ଷାବ୍ୟବସ୍ଥା ପ୍ରଚଳନ କରିବା ସହିତ ଏ ସମ୍ପର୍କୀତ ବିଭିନ୍ନ ପୁସ୍ତକ ପ୍ରସ୍ତୁତିପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ତ୍ୱରିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ବୈଷୟିକ ଶିକ୍ଷାକୁ ଓଡିଶାରେ ପ୍ରୟୋଗାତ୍ମକ ଢଙ୍ଗରେ ପ୍ରଚଳନ କରିବା ସହିତ ଓଡିଆମାନେ ନିଯୁକ୍ତିପାଇଁ କିଭଳି ବାହାରକୁ ନ ଯାଇ ଓଡିଶାରେ ଥିବା ଖଣିଜ ସମ୍ପଦକୁ ନିଜ ଶିକ୍ଷାଭିତ୍ତିକ ଜ୍ଞାନ ବଳରେ ବ୍ୟବହାର କରି ଓଡିଶାକୁ ସମୃଦ୍ଧ କରିପାରିବେ, ସେହି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ମାନ୍ୟବର ମନ୍ତ୍ରୀ ଏହି କଥାକୁ ଗୁରୁତର ସହ ବିଚାର କରି ଓଡିଆ ଭାଷାରେ ବୈଷୟିକ ଶିକ୍ଷାର ପ୍ରଚଳନପାଇଁ ଓଡିଆରେ ଉପଯୁକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଶିକ୍ଷାଦାନ ନିମନ୍ତେ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଓଡିଶା ସରକାର, ବିଜୁପଟ୍ଟନାୟକ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଏବଂ ଓଡିଶା ବେସରକାରି ବୈଷୟିକ ଶିକ୍ଷା ପରିଷଦ ମଧ୍ୟରେ ଆଲୋଚନାପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ଉପସ୍ଥିତ କେନ୍ଦ୍ରିୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହିତ ପ୍ରାଚୀନ ଓ ସମୃଦ୍ଧ ଓଡିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାର ଓ ପ୍ରସାରପାଇଁ ବିଭିନ୍ନ ପଦକ୍ଷେପ ନେବା, ଆଇଆଇଟି, ଭୁବନେଶ୍ୱରରେ କ୍ଲାସିକାଲ ଓଡିଆ ବିଷୟରେ ଶିକ୍ଷାଦାନ, କେନ୍ଦ୍ରିୟ ବିଦ୍ୟାଳୟରେ ଓଡିଆ ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି, ଶାସ୍ତ୍ରୀୟ ଭାଷାପାଇଁ ଗବେଷଣା କାର୍ଯ୍ୟକୁ ବ୍ୟାପକ କରିବା, ଜାତୀୟ ପାଣ୍ଡୁଲିପି ମିଶନଦ୍ୱାରା ସଂଗୃହୀତ ୨ ଲକ୍ଷ ୧୩ ହଜାର ଓଡିଆ ତାଳପତ୍ର ପୋଥି ଓ ୩୦ରୁ ଉର୍ଦ୍ଧ୍ୱ ଅଭିଲେଖର ପାଠୋଦ୍ଧାରପାଇଁ ପଦକ୍ଷେପ ନେବା ବିଷୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଭାରତର ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବସର ବେଉରିଆ, ପ୍ରଫେସର ଓଁକାରନାଥ ମହାନ୍ତି, ଡକ୍ଟର ସୁବ୍ରତ ପୃଷ୍ଟି, ଡକ୍ଟର ସିପ୍ରା ମଲ୍ଲିକ, ପ୍ରଫେସର ନଟବର ଶତପଥୀ, ଇଂ. କାହ୍ନୁଚରଣ ବେହୁରା ପ୍ରମୁଖ ପ୍ରଥମ ଓଡିଆ କେନ୍ଦ୍ରଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଓଡିଆ ଭାଷାର ସମୃଦ୍ଧିପାଇଁ ଉପରୋକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.