ମହାନଦୀରେ ମଧ୍ୟମ ଧରଣର ବନ୍ୟା, କ’ଣ କହିଲେ SRC

0

ଲଘୁଚାଚ ଜନିତ ଲଗାଣ ବର୍ଷା କାରଣରୁ ଜଳମଗ୍ନ ଓଡ଼ିଶା । ହୀରାକୁଦ ଓ ମହାନଦୀ ଜଳସ୍ତର ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି ସତ କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷିଛି । ଯାହାର ପ୍ରଭାବରେ ହୀରାକୁଦକୁ ୨,୫୮ ଲକ୍ଷ କ୍ୟୁସେକ୍ ଜଳ ପଶୁଛି ଓ ୨.୨୫ ଲକ୍ଷ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮.୨୩ ଫୁଟ ରହିଛି । ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଛି । ତେଣୁ ଆବଶ୍ୟକ ପଡ଼ିଲେ ଆଉ ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ଏସଆରସି କହିଛନ୍ତି ।

ଅନ୍ୟପଟେ ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରିବ । ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ‘ବନ୍ୟା ସ୍ଥିତି ଯୋଗୁଁ ତଳିଆ ଅଞ୍ଚଳରେ ବେଶି ଖରାପ ସ୍ଥିତି ହେବାର ଆଶଙ୍କା ନାହିଁ । ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ଉପରେ ଥିଲେ ବି ଏବେ ଖସୁଛି । ବ୍ରାହ୍ମଣୀ ବିପଦ ସଙ୍କେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଛି । ଜଳକା ବିପଦ ସଙ୍କେତ ଉପରେ ରହିଛି, କିନ୍ତୁ ବନ୍ୟା ପରିସ୍ଥିତି ନାହିଁ । ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ବ୍ରାହ୍ମଣୀରେ ୩ଟି ସହ ଟାଙ୍ଗୀ ଜରିପଡ଼ା କୁସୁମୀ ନାଳରେ ଘାଇ ରହିଛି । ଲଗାଣ ବର୍ଷା ଯୋଗୁଁ ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ ହୋଇଛି । ମୋଟ ୪୩୩ଟି ଗାଁ ଓ ୨୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି । ଏଥିରେ ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ ୩୦ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ନେଇ ପ୍ରାଥମିକ ଆକଳନ କରାଯାଇଛି ।’

Leave A Reply

Your email address will not be published.