ସବୁଦିନ ପାଇଁ ବନ୍ଦ ହୋଇଯିବ ଗୋଆର ପ୍ରସିଦ୍ଧ TITO’S କ୍ଲବ୍, ବିକ୍ରି ପାଇଁ କରାଗଲା ଘୋଷଣା

0

ଭାରତବର୍ଷରେ ଗୋଆ ହେଉଛି ଏକ ପ୍ରସିଦ୍ଧ ଭ୍ରମଣସ୍ଥଳ । ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଗୋଆ ବୁଲିବାକୁ ଯିବା ସମୟରେ ପ୍ରସିଦ୍ଧ ନାଇଟ୍ କ୍ଲବ ଟିଟୋକୁ ଯାଇ ଆନନ୍ଦ ଉଠାଇ ଥାଆନ୍ତି । ତେବେ ପର୍ଯ୍ୟଟନ ପ୍ରିୟ ଅନେକ ଲୋକଙ୍କ ପାଇଁ ଏକ ଦୁଃଖଦ ସମ୍ବାଦ ଆସିଛି । ଟିଟୋ କ୍ଲବର ଜଣେ ପ୍ରମୋଟର ଏହାକୁ ବିକ୍ରି କରିବା ପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକରେ ଘୋଷଣା କରିଛନ୍ତି ।

କ୍ଲବର ଜଣେ ପ୍ରମୋଟର ରିକାର୍ଡୋ ଡି ସୌଜା ଏନେଇ ଫେସବୁକରେ ଘୋଷଣା କରିଥିବା ଜଣାପଡ଼ିଛି । ସେ କହିଛନ୍ତି, କ୍ଲବକୁ ବନ୍ଦ କରିବା ନେଇ ପୂର୍ବରୁ ବହୁତ ଚାପ ପଡ଼ୁଥିଲା । କିଛି ସରକାରୀ ଅଫିସର ଓ ସ୍ଥାନୀୟ ରାଜନେତାଙ୍କ ପାଇଁ ସବୁଦିନ ପାଇଁ ଟିଟୋଜ୍ କ୍ଲବ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଏହି ଅବସରରେ ଟିଟୋଜ୍ କ୍ଲବକୁ ଏକ ଶ୍ରେଷ୍ଠ ବ୍ରାଣ୍ଡରେ ପରିଣତ କରିବାରେ ସହଯୋଗ କରିଥିବା ତାଙ୍କର ବନ୍ଧୁ, ଷ୍ଟାଫ, ସହକର୍ମୀ, ପଡ଼ୋଶୀ, ପୂର୍ବତନ କର୍ମଚାରୀମାନଙ୍କୁ ରିଚାର୍ଡୋ କୃତଜ୍ଞତା ଜଣାଇଛନ୍ତି ।

୧୯୭୧ ମସିହାରେ ଦକ୍ଷିଣ ଗୋଆରେ ଏହି କ୍ଲବ ହେନେରୀ ଡି ସୌଜାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ପରଠାରୁ ହଜାର ହଜାର ସଂଖ୍ୟାରେ ପାର୍ଟି ଏହି କ୍ଲବରେ ଆୟୋଜନ ହୋଇଆସୁଥିଲା । ଏହି କ୍ଲବ ବନ୍ଦ ହେବା ଫଳରେ ଅନେକ ଲୋକ ସେମାନଙ୍କର ଜୀବିକା ହରାଇବେ । କ୍ଲବର ବିକ୍ରି ବିଷୟରେ ଅନେକଙ୍କୁ ଆଜି ମଧ୍ୟ ଅଜଣା ହୋଇ ରହିଥିବା ଜଣାପଡ଼ିଛି । ବିଭିନ୍ନ ସମୟରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି କ୍ଲବରେ ପାର୍ଟିର ଆୟୋଜନ କରାଯାଉଥିଲା । କ୍ଲବରେ ଥିବା ବାରରେ ଭୋଡକା, ରମ, ବିଅର, ଗିନ, ବ୍ରାଣ୍ଡି, ହ୍ୱିସକି, ଟେକ୍ୱିଲା ପରି ବିଭିନ୍ନ ବ୍ରାଣ୍ଡର ଆଲକହଲ ଉପଲବ୍ଧ ହେଉଥିଲା । ବଲିଉଡର ସୁମଧୁର ସଙ୍ଗୀତରେ ପର୍ଯ୍ୟଟକମାନେ ଖାଦ୍ୟ, ପାନୀୟ ଓ ଡ୍ୟାନ୍ସରେ ମତୁଆଲ ହୋଇ ଖୁସିରେ ଝୁମୁଥିଲେ ।

Leave A Reply

Your email address will not be published.