ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ କର୍ମଚାରୀକୁ ଅବକାରୀ ବିଭାଗ ଇନିସପେକ୍ଟର ଗୋଇଠା ମାରିବା ସହ ଗାଳିଗୁଲଜ ନେଇ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସିସିଟିଭିରେ କଏଦ ଉକ୍ତ ଭିଡ଼ିଓ ଦେଖି ବିଭିନ୍ନ ମହଲରୁ ନିନ୍ଦା କରିବା ସହିତ ଅବକାରୀ ଇନିସପେକ୍ଟର ଶ୍ରୀଧର ମହାନ୍ତିଙ୍କ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏନେଇ ଦୋକାନ କର୍ମଚାରୀ ଜଣକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ସମେତ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ପାଲବଣି ଠାରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ କାଲିକାପୁର ଅଞ୍ଚଳର ସଞ୍ଜୟ ସିଂ ନାମକ ଯୁବକ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ତେବେ ଗତ ମଇ ୨୫ତାରିଖରେ ଅପରାହ୍ନରେ ଅବକାରୀ ବିଭାଗର ଭ୍ରାମ୍ୟମାଣ ୟୁନିଟ ଇନିସପେକ୍ଟର ଶ୍ରୀଧର ମହାନ୍ତି ସାଧା ପୋଷାକରେ ପାଲବାଣୀ ସ୍ଥିତ ଉକ୍ତ ମଦ ଦୋକାନରେ ପହଞ୍ଚିଥିଲେ।ଦୋକାନରେ ଥିବା ମଦ ଗୁଡିକ ଅନୁଧ୍ୟାନ କରିଥିଲେ।
ଏଥିପରେ ସଞ୍ଜୟ ସିଂ ନାମ ପଚାରିଥିଲେ। ଏହାର କିଛି ସମୟ ପରେ ସଞ୍ଜୟଙ୍କୁ ସେ ଡାକିଥିବା ବେଳେ ସଞ୍ଜୟ ଶୁଣି ପାରିନଥିଲେ। ଏହାକୁ ନେଇ ଇନିସପେକ୍ଟର ଶ୍ରୀ ମହାନ୍ତି ଉତକ୍ଷିପ୍ତ ହୋଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଆଦିବାସୀ ମାନଙ୍କୁ ଉପେକ୍ଷା କରି ଜାତିଆଣକୁ ନେଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ପିଟାମରା କରିଥିଲେ। ଶ୍ରୀ ମହାନ୍ତି ବସିବା ପାଇଁ ସେ ଚୌକି ଆଣିବାକୁ ଯାଇଥିବା ବେଳେ ଇନ୍ସପେକ୍ଟର ଆସି ତାଙ୍କୁ ଗୋଇଠା ଓ ଚାପଡ଼ା ମାରିଥିଲେ। ଯାହାକି ସିସିଟିଭି ଚିତ୍ରରେ ସ୍ପଷ୍ଟ ଭାବେ ଦେଖାଯାଉଛି। ଏଥି ସହିତ ତାଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଘଟଣା ବାବଦରେ ସଞ୍ଜୟ ସିଂ ପ୍ରଥମେ ଉକ୍ତ ମଦ ଦୋକାନର ମାଲିକଙ୍କୁ ଜଣାଇଥିଲେ। କିନ୍ତୁ ମାଲିକ ଘଟଣା ବାବଦରେ ବୁଝିବେ ବୋଲି କହି ସମୟ ଅତିକ୍ରାନ୍ତ କରିଥିଲେ ସୁଦ୍ଧା କିଛି ବୁଝିନଥିଲେ। ଯାହାକୁ ନେଇ ସେ ଉକ୍ତ ଦୋକାନରୁ ଚାକିରୀ ଛାଡି ଦେଇଛନ୍ତି। ଏଥିପରେ ସେ ଗତ ମଇ ୨୮ତାରିଖରେ ବାରିପଦା ଟାଉନ ଥାନାରେ ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ବିରୁଦ୍ଧରେ ଏକ ଲିଖିତ କରିଥିଲେ। କିନ୍ତୁ ପରିତାପର ବିଷୟ ଯେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଏକ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଜଣେ ଗରିବ ଆଦିବାସୀ ଯୁବକ ନ୍ୟାୟ ନପାଇ ଶେଷରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଅବକାରୀ ବିଭାଗ କମିଶନର, ଜିଲ୍ଲା ଅବକାରୀ ଅଧିକ୍ଷକ, ମାନବ ଅଧିକାରୀ କମିଶନ ଆଦିଙ୍କୁ ନିଜ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଉକ୍ତ ଘଟଣାର ତଦନ୍ତ କରି ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଗିରଫ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଦୀର୍ଘ ଦିନ ଧରି ଘଟଣାକୁ ଚାପି ଦେବାକୁ କାହିଁକି ଉଦ୍ୟମ ହେଉଥିଲା ବୋଲି ଚର୍ଚ୍ଚା ଜୋର ଧରିଛି। ଘଟଣାର ତଦନ୍ତ ନେଇ ଅବକାରୀ କମିଶନର ଓ ଜିଲ୍ଲାପାଳଙ୍କ ପାଖରୁ ଜିଲ୍ଲା ଅବକାରୀ ବିଭାଗକୁ ଚିଠି ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କହଁର କହିଛନ୍ତି। ଉପ ଅବକାରୀ ଅଧୀକ୍ଷକ ତପସ୍ୱନି ନାଏକଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଆଦିବାସୀଙ୍କୁ ସମ୍ମାନ ଜଣାଇ ଦେଶର ରାଷ୍ଟ୍ରପତି ଭଳି ପଦ ମର୍ଯ୍ୟାଦା ଦିଆଯାଇଛି। ଏଥି ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ରହିଥିବା ବେଳେ ଜଣେ ଆଦିବାସୀ କର୍ମଚାରୀଙ୍କୁ ସରକାରୀ ଅଧିକାରୀ ଗୋଇଠା ମାରିବା ଅତି ନିନ୍ଦନୀୟ ଅଟେ। ଆଦିବାସୀ କର୍ମଚାରୀଙ୍କୁ ଗୋଇଠା ବିଧା ମାରିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଥିବା ବେଳେ ଏହାକୁ ଭଞ୍ଜସେନା ପକ୍ଷରୁ ନିନ୍ଦା କରାଯାଇଛି। ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛନ୍ତି। ତେବେ ଆଗାମୀ ଦିନରେ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅବକାରୀ କାର୍ଯ୍ୟାଳୟ ଘେରାଉ କରି ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।