ସବୁ ପ୍ରତିକ୍ଷାର ଘଟିଛି ଅନ୍ତ; ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସବୁ ପ୍ରତିକ୍ଷାର ଘଟିଛି ଅନ୍ତ । ସରକାର ଗଠନ ପରେ ଆକ୍ସନମୋଡରେ ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାର । ଗତକାଲି ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଆଧାରରେ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରର 4 ଦ୍ବାର ଖୋଲିଛି | ଆଜି ସକାଳେ ମହାପ୍ରଭୁଙ୍କ ସକାଳ ମଙ୍ଗଳ ଆଳତି ସରିବା କ୍ଷଣି ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା ଶ୍ରୀମନ୍ଦିରର ସିଂହଦ୍ୱାର ସମେତ ଅନ୍ୟ ତିନି ଦ୍ୱାର ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଉତ୍ତର ଦ୍ୱାର ବା ହସ୍ତି ଦ୍ୱାର ଓ ଦକ୍ଷିଣ ଦ୍ୱାର ବା ଅଶ୍ୱ ଦ୍ୱାର। ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଲା ଦ୍ବାର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ସକାଳ ମଙ୍ଗଳ ଆଳତି ସମୟରେ ୪ ଦ୍ବାର ଖୋଲିଲା । ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

୪ ଦ୍ୱାର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ୱାର ଖୋଲାଯାଇଛି। ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଥିଲୁ। ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନେବୁ। କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ ଖୋଲିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲା। ଯାହାକୁ ନିର୍ବାଚନ ପ୍ରଚାର ବେଳେ କହିଥିଲା ବିଜେପି, ଦାୟିତ୍ୱଗ୍ରହଣ କରିବାର ଘଣ୍ଟା କେଇଟା ମଧ୍ୟରେ ସେ ନେଇ ନିଷ୍ପତ୍ତି ନିଆ ହୋଇଛି। ଆଜି ସକାଳେ ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦ୍ୱାରକୁ ଖୋଲା ଯାଇଛି।

କୋଭିଡ୍ ପୂର୍ବରୁ ଶ୍ରୀମନ୍ଦିର ୪ ଦ୍ୱାର ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଥିଲା। ଧର୍ମ, ଅର୍ଥ, କାମ, ମୋକ୍ଷର ଧାର୍ମିକ ବିଶ୍ୱାସ ରଖି ଭକ୍ତ ଶ୍ରୀମନ୍ଦିର ଯାଉଥିଲେ। କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ୱାର ବନ୍ଦ କରିଥିଲେ  ପୂର୍ବତନ ରାଜ୍ୟ ସରକାର। ୨୦୨୧ ନଭେମ୍ବର ୨୪ ତାରିଖରେ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ବନ୍ଦ ହୋଇଥିଲା ୩ ଦ୍ୱାର।ଗତକାଲି ମୋହନ ମାଝୀଙ୍କ ନେତୃତ୍ବରେ ନୂଆ ସରକାର ଗଠନ ପରେ ସଂଧ୍ୟାରେ ଲୋକସେବା ଭବନରେ ଆୟୋଜିତ ପ୍ରଥମ କ୍ୟାବିନେଟରେ ଏହି ପ୍ରସ୍ତାବରେ ମୋହର ବାଜିଥିଲା । ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ସହ ମନ୍ଦିର ପରିଚାଳନା ଓ ରକ୍ଷଣାବେକ୍ଷଣା ପାଇଁ 5ଶହ କୋଟିର ଏକ ‘କର୍ପସ ଫଣ୍ଡ’ ଗଠନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ଏହା ସହ ଗତକାଲି ରାତିରେ ପୁରା ସରକାର ପୁରୀ ଅଭିମୁଖେ ବାହାରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ।

Leave A Reply

Your email address will not be published.