ମୋଦି ସରକାରକୁ ପୁରିଲା ୮ବର୍ଷ: ବିଜେପି ରାଜ୍ୟ ସଭାପତି କହିଲେ ମୋଦି ସରକାର “ମିଶନ” ମୋଡ୍ରେ କିନ୍ତୁ ରାଜ୍ୟ ସରକାର “କମିଶନ” ମୋଡ୍ରେ
ଓଡିଆ ନ୍ୟୁଜ୍(ବ୍ୟୁରୋ): ସାଧାରଣ ଗରିବ ଲୋକଟିର ଦୁଃଖ କଷ୍ଟକୁ ଉପଲବ୍ଧ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ଅନ୍ତ୍ୟୋଦୟ ସିଦ୍ଧାନ୍ତକୁ ଆଧାର କରି ବହୁ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବା ସହିତ ସମସ୍ତ ଯୋଜନାର ସଫଳ ରୂପାୟନ କରିଛନ୍ତି । ‘ସମସ୍ତ ଯୋଜନାର ସୁଫଳ ସମସ୍ତ ଦେଶବାସୀଙ୍କୁ ମିଳୁ’ ଏବଂ ‘ଜଣେ ହେଲେ ବଂଚିତ ନରୁହନ୍ତୁ’ ଲକ୍ଷ୍ୟରେ ମୋଦି ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି । ବାସଗୃହ, ପାନୀୟ ଜଳ, ବିଜୁଳି, ଶୈାଚାଳୟ ନିର୍ମାଣ, ଶିକ୍ଷା, ସଡକ, ରେଳପଥ, ଜଳପଥ, ବିମାନପଥ, କୃଷି ଓ କୃଷକର ଉତ୍ଥାନ ଆଦିକୁ ଗୁରୁତ୍ୱ ଦେଇ ମୋଦି ସରକାର ଗତ ୮ ବର୍ଷ ଭିତରେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛନ୍ତି । ମାଗଣା ରୋଷେଇ ଗ୍ୟାସ ସଂଯୋଗ, ଜନଧନ ଯୋଜନା, ପିଏମ-କିଶାନ ଯୋଜନା, ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଆୟୁଷ୍ମାନ ଭାରତ ଯୋଜନା ଆଦିକୁ ସଫଳ ଭାବେ କାର୍ଯ୍ୟାନ୍ୱୟନ କରି ଦେଶକୁ ଆତ୍ମନିର୍ଭର ଭାରତ ଭାବେ ଗଢି ତେଳିବା ଲକ୍ଷ୍ୟରେ ମୋଦି ସରକାର ପ୍ରତିଶୃତିବଦ୍ଧ ।
ମହାକାଶ ଏବଂ ଆଇଟି କ୍ଷେତ୍ରରେ ଭାରତବର୍ଷ ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇସାରିଛି । କୋଭିଡ୍ ମହାମାରୀ ସମୟରେ ଆଗକୁ ଆସି ନେତୃତ୍ୱ ନେଇଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ବିଶ୍ୱଗୁରୁ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସୁପଳକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଥିବା ଗରୀବକଲ୍ୟାଣ ସମାବେଶରେ ଯୋଗ ଦେଇ ଦେବଗଡଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ସିଧାସଳଖ ହିତାଧିକାରୀଙ୍କ ପାଖକୁ ଯାଇ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରି ତାକୁ ତାର ନ୍ୟାର୍ଯ୍ୟ ହକ୍ ପହଂଚାଇବା ମୁଳ ଉଦ୍ଦେଶ୍ୟ । ମୋଦି ସରକାର “ମିଶନ” ମୋଡରେ କାର୍ଯ୍ୟ କରୁଥିବାବେଳେ ରାଜ୍ୟରେ ନବୀନ ସରକାର “କମିଶନ” ମୋଡରେ କାର୍ଯ୍ୟ କରୁଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର ସାଜିଛି ଓଡିଶା । ପଲ୍ଲୀସଭା ଭଳି ସ୍ୱଚ୍ଛ ବ୍ୟବସ୍ଥାକୁ ରାଜ୍ୟ କାହିଁକି ଉଠାଇଦେଲେ ? ରାଜ୍ୟରେ ଗରୀବ ଲୋକଟି ତାର ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ ରହୁଛି । ଗରୀବ ଲୋକଟିର ସମସ୍ୟା ଶୁଣିବା ପାଇଁ କେହି ନାହାନ୍ତି । ରାଜ୍ୟରେ ଶିଳ୍ପ କ୍ଷେତ୍ର ଆଜି ସୁପ୍ତ ପାଲଟିଛି । ଗତ ୨୨ ବର୍ଷ ସାସନରେ ବିଜେଡି ସରକାରରେ ଅନେକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି ସତ, କିନ୍ତୁ ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ । ବରଂ ଅନେକ ଶିଳ୍ପାନୁଷ୍ଠାନ ରାଜ୍ୟ ଛାଡି ପଳାଇଛନ୍ତି ।
ଭୋଟ ସର୍ବସ୍ୱ ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି, କିନ୍ତୁ ବିଧାନସଭାକୁ ଭର୍ଚୁଆଲ ମୋଡରେ ଯୋଗ ଦେଉଛନ୍ତି । ଏହାି ଗଣତନ୍ତ୍ରକୁ ଅପମାନ କରୁଛନ୍ତି । ରାଜ୍ୟ ସରକାରଙ୍କ ଅହଯୋଗ କାରଣରୁ ରାଜ୍ୟରେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ଭବ ହୋଇପାରୁନାହିଁ । ଓଡିଶାବାସୀ ଅନେକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ଦେବଗଡ ଜିଲ୍ଲାବାସୀ ଆଜିବି ରେଳ ସୁବିଧାରୁ ବଂଚିତ ଅଛନ୍ତି । ତାଳଚେର-ବିମଳାଗଡ ରେଳ ପ୍ରକଳ୍ପକୁ ଯଥାଶୀଘ୍ର ସମାପ୍ତ କରି ରେଳ ସେବା ପାଇବାର ଜିଲ୍ଲାବାସୀଙ୍କ ସ୍ୱପ୍ନ ବହୁ ଶୀଘ୍ର ସାକାର ହେବାକୁ ଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏହି ଅବସରରେ ସ୍ଥାନୀୟ ସାଂସଦ ଶ୍ରୀ ନିତେଶ ଗଙ୍ଗଦେବ, ସ୍ଥାନିୟ ବିଧାୟକ ସୁବାଷ ପାଣିଗ୍ରାହୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ମିନକେତନ ପ୍ରଧାନ, ଦେବଗଡ ପୈାର ଉପାଧ୍ୟକ୍ଷ ପ୍ରଜୀପ ଭୋଜଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।