ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଞ୍ଚମ ଦିନରେ ପହଞ୍ଚିଛି କୃଷକମାନଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ । ହଜାର ହଜାର କୃଷକ ବିଭିନ୍ନ ଦାବି ନେଇ ଜାତୀୟ ରାଜଧାନୀ ଦିଲ୍ଲୀ ଆଡକୁ ମାଡି ଚାଲିଛନ୍ତି । ହରିୟାଣା-ପଞ୍ଜାବର ଶମ୍ଭୁ ସୀମାରେ କୃଷକମାନେ ହଟୁନାହାନ୍ତି। ଆନ୍ଦୋଳନର ଚତୁର୍ଥ ଦିନରେ ମଧ୍ୟ ସଂଘର୍ଷ ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ, ଯେତେବେଳେ କୃଷକମାନେ ବ୍ୟାରିକେଡ ଆଡକୁ ଯିବାକୁ ଚେଷ୍ଟା କଲେ। ହରିୟାଣା ପୋଲିସ ସେମାନଙ୍କୁ ରୋକିବା ପାଇଁ ଲୁହବୁହା ଗ୍ୟାସ ଖୋଲି ଦେଇଥିଲେ।
ଚାଷୀମାନେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟିଠୁ ଆରମ୍ଭ କରି 12 ଦଫା ଦାବି ନେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି ହଜାର ହଜାର କୃଷକ ଏବଂ ବିଭିନ୍ନ ସଂଗଠନ । କେନ୍ଦ୍ର ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ଏହି ଆନ୍ଦୋଳନ କରାଯାଇଛି । ଦିଲ୍ଲୀ ଚଲୋ ନାରାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । ଗତକାଲି ‘ଗ୍ରାମୀଣ ଭାରତ ବନ୍ଦ’ ଡାକରା ଦେଇଥିଲା କୃଷକ ମୋର୍ଚ୍ଚା । ଆଜି ହରିୟାଣାରୁ ଟ୍ରାକ୍ଟର ରାଲିରେ ବାହାରିବେ ହଜାର ହଜାର କୃଷକ । କୃଷି ନେତା ଗୁରୁନାମ ଚଢୁନୀଙ୍କ ଆହ୍ୱାନରେ ଟ୍ରାକ୍ଟର ରାଲି ଆରମ୍ଭ କରାଯାଇଛି । ତେବେ ଶାନ୍ତିପୂର୍ଣ୍ଣ ଭାବେ ଏହା ମାର୍ଚ୍ଚ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ‘ଦିଲ୍ଲୀ ଚଲୋ ‘ ଡାକରାରେ ଏବେବି ହଜାର ହଜାର ଚାଷୀ ଶମ୍ଭୁ ସୀମାନ୍ତରେ ରହିଛନ୍ତି । ହରିୟାଣା ଏବଂ ପଞ୍ଜାବ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ, ହରିୟାଣାରେ ମୋବାଇଲ ଇଣ୍ଟରନେଟ କଟକଣାକୁ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନ ସମୟରେ ଜଣେ ସବ-ଇନ୍ସପେକ୍ଟର ଓ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ହୃଦଘାତ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଦିଲ୍ଲୀ ସୀମାଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ୟାରିକେଡ କରାଯିବା ସହ ସିକ୍ୟୁରିଟି ଫୋର୍ସ ନିୟୋଜିତ ଅଛନ୍ତି । ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି ।