ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି।  ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିବେ |ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି କରାଯାଇଥାଏ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅନ୍ୟପଟେ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସଂଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ। ଶ୍ରୀଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ପଇତା ଲାଗି କରାଯାଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ଗୁପ୍ତସେବା କରାଯିବ। ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ। ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକମାନେ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି ଏବଂ ଏହି ପଇତାକୁ ଦେଉଳ-କରଣଙ୍କୁ ଯୋଗାଇଥାନ୍ତି ।

ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହିଆସିଛି । ଅନ୍ୟପଟେ ଆସନ୍ତା ମେ 10 ତାରିଖ ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ତେବେ ନରେନ୍ଦ୍ରକୁ ଆସୁଥିବା ଭକ୍ତଙ୍କୁ ସ୍ଵାଗତ କରିବାକୁ ନୂତନ ଭାବେ ନିର୍ମିତ ହେଉଛି ନନ୍ଦା, ଭଦ୍ରା ପ୍ରତୀକାତ୍ମକ ତୋରଣ । ଚନ୍ଦନଯାତ୍ରାରେ ନରେନ୍ଦ୍ରରେ ମହାପ୍ରଭୁଙ୍କ ଚାପଖେଳ ଦେଖିବା ପାଇଁ ଆସୁଥିବା ଭକ୍ତ ତୋରଣରେ ନନ୍ଦା ଭଦ୍ରା ନୌକାର ପ୍ରତିରୂପ ଦେଖିବାକୁ ପାଇବେ ।

Leave A Reply

Your email address will not be published.