ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ରାଜ୍ୟ ରାଜକୋଷକୁ ଅପବ୍ୟବହର କରିବା ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ତେବେ ଆଜି ସମସ୍ତ ଓଡ଼ିଆ ଓ ଇଂରାଜୀ ଖବର କାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ସରକାରଙ୍କର ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଦ୍ୱାରା ଦିଆଯାଇଥିବା ବିଜ୍ଞାପନରେ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ କୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ରାଜ୍ୟପାଳଙ୍କ ଅନୁପସ୍ଥିତିରେ ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଇଂରାଜୀ ଓ ଓଡ଼ିଆ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନ ବାବଦରେ କହିଥିଲେ ଯେ ଓଡ଼ିଶା ସରକାରୀ ଲୋଗ ଏବଂ ୫-ଟି ଲୋଗ ସହିତ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ଲାଗିବା ସମସ୍ତ ନିୟମାବଳୀକୁ ଉଲଘଂନ ଓ ଅବମାନନା କରାଯାଉଛି । ସରକାରୀ ଦଳର ସ୍ୱାର୍ଥ ପାଇଁ ସରକାର କିପରି ରାଜ୍ୟ ରାଜକୋଷରୁ ଜନସାଧାରଣଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏହା ତାହାର ଜ୍ୱଳନ୍ତ ଉଦାହରଣ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଓଡ଼ିଶାରେ ଜଙ୍ଗଲରାଜ ଶାସନ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏ ଘଟଣାର ଅନୁସନ୍ଧାନ କରି ଘଟଣାରେ ସଂପୃକ୍ତ ବିଭାଗ ଏବଂ କର୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ସ୍ମାରକପତ୍ରରେ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି ଏବଂ ପରବର୍ତୀ ସମୟରେ ପ୍ରକାଶିତ ହେବାକୁ ଥିବା ସରକାରୀ ବିଜ୍ଞାପନରେ ଦଳର ଲୋଗ ନ ଲଗାଯିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁରୋଧ କରାଯାଇଛି ।
ଆଜିର ପ୍ରତିନିଧି ଦଳରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ବିଭୂତି ମିଶ୍ର, ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର, ସମ୍ପାଦକ ନରୋତମ ନାୟକ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।