ବାଲି ମାଫିଆ ଗଣମାଧ୍ୟମ ମୁହାଁମୁହିଁ; ପହଞ୍ଚିଲା ପୋଲିସ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):   ସକ୍ରିୟ ବାଲି ମାଫିଆ ନିଷ୍କ୍ରିୟ ପ୍ରଶାସନ। ବିଭାଗୀୟ ଉଦାସୀନତାକୁନେଇ ଉତ୍ସ୍ୟହିତ ବାଲି ମାଫିଆ। ବେଆଇନ ଭାବେ ଉଠୁଛି ଦୈନିକ ଶହ ଶହ ଟ୍ରିପ ବାଲି ମାଲାମାଲ ମାଫିଆ ରାଜକୋଷ ହରାଉଛି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ ଅଧୀନ ଘୋଳମୁହାଁ ପଞ୍ଚାୟତ ଜମ୍ଭୀରା ନଦୀର ଠେଙ୍ଗାତାଣ୍ଡି ଘାଟରେ। ବାଲିଘାଟକୁ ମାଇନିଂ ବିଭାଗ ପରିଦର୍ଶନ କରି ବାସ୍ତବସ୍ଥିତି ଅନୁଧ୍ୟାନ କରିଛି।

ସୂଚନା ଯୋଗ୍ୟଯେ, ଠେଙ୍ଗାତାଣ୍ଡି ଘାଟରୁ ଦୈନିକ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ ହେଉଥିବାରୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି ସରକାର। ତେବେ ଏନେଇ ଖବର ସଂଗ୍ରହ ପାଇଁ ଠେଙ୍ଗାତାଣ୍ଡି ଘାଟକୁ ଗଣମାଧ୍ୟମ ପ୍ରତିନିଧିମାନେ ଯାଇଥିବା ବେଳେ ଚୋରା ବାଲି ଚାଲାଣକାରୀମାନେ ଆକ୍ରମଣ କରିବା ଉଦ୍ଧେଶ୍ୟରେ ଦୌଡ଼ି ଆସିଥିଲେ। ଖବରପାଇ ମୋରଡା ଥାନା ଅଧିକାରୀ ଘଟଣାସ୍ଥଳକୁ ପୋଲିସ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଦୈନିକ ଏହି ନଦୀ ଘାଟରୁ ଶହ ଶହ ଟ୍ରିପର ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ମାଇନିଂ ବିଭାଗ ହାତବାନ୍ଧି ବସିବାକୁ ସ୍ଥାନୀୟ ଲୋକମାନେ ସହଜରେ ଗ୍ରହଣ କରି ପାରୁନଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ନିଲାମ ହୋଇନଥିବା ଏହି ଠେଙ୍ଗାତାଣ୍ଡି ଘାଟରୁ ଉତ୍ତୋଳନ ହେଉଥିବା ବାଲି ଅଧିକ ଦାମରେ ବାହାରକୁ ଚାଲାଣ ହେଉଥିବାରୁ ସ୍ଥାନୀୟ ଲୋକମାନେ ବାଲି ଅଭାବର ସମ୍ମୁଖୀନ ହୋଇ ଆବାସଗୃହ ନିର୍ମାଣରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଆଲୋଚନା ହେଉଛି। ତେବେ ସୃଷ୍ଟି ବିବାଦୀୟ ପରିସ୍ଥିତି ସମ୍ପର୍କରେ ପ୍ରଚାରିତ ହେବାପରେ ଆଜି ମାଇନିଂ ବିଭାଗ ଠେଙ୍ଗାତାଣ୍ଡି ବାଲିଘାଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବାନେଇ ପ୍ରମାଣ ହସ୍ତଗତ କରିଛି।

ଏପରି ସ୍ଥଳେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ବିଭାଗ ଗୁରୁତ୍ୱ ପ୍ରଦାନ କରି ଘାଟରେ ୧୪୪ ଧାରାଜାରି କରିବା ଆବଶ୍ୟକତା ଥିବା ଅନୁଭବ କରି ବେଆଇନ ବାଲି ଉତ୍ତୋଳନରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଭାଗୀୟ ପଦକ୍ଷେପ ନେଇ ଖୁବଶୀଘ୍ର ୧୪୪ ଧାରା ଲାଗୁ କରାଯିବ ବୋଲି ମାଇନିଂ ଅଫିସର ଦିଲୀପ କୁମାର ମାହାନାଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ ଏବଂ ମାଇନ୍ସ ବିଭାଗ ପକ୍ଷରୁ ଆଗକୁ କି ପଦକ୍ଷେପ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.