ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ

5ଟି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା।

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ବର : ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଯାଉଅଛି ୫ଟି ମଲ୍ଟି ସୁପର ହସ୍ପିଟାଲ । ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏ କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ଖୁବଶୀଘ୍ର ୫ଟି ମଲ୍ଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇବାକୁ ଯାଉଛି । ପିପିପି ମୋଡରେ ଏହି ହସ୍ପିଟାଲଗୁଡ଼ିକ ନିର୍ମାଣ ହେବ । ସ୍ୱାସ୍ଥ୍ୟ ସେବାର ବିକାଶ କ୍ଷେତ୍ରରେ ଯେକୌଣସି ରାଜ୍ୟ ଦ୍ୱାରା ଏହା ପ୍ରଥମ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ସହ ଘରୋଇ ସହଭାଗୀଙ୍କର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏମଓୟୁ ଅନୁଯାୟୀ ଅନୁଗୋଳ, ବଡ଼ବିଲ, ଭଦ୍ରକ ଓ ଝାରସୁଗୁଡ଼ାରେ ୧୦୦ରୁ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଏବଂ ଏକ କ୍ୟାନ୍ସର କେୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ । ଉପରୋକ୍ତ ହସ୍ପିଟାଲଗୁଡ଼ିକ ନିର୍ମାଣ ପାଇଁ ମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ପ୍ରାୟ ୩୫୦୦ ମେଡିକାଲ, ପାରା-ମେଡିକାଲ, ନର୍ସିଂ ଏବଂ ପ୍ରସାସନିକ ବୃତ୍ତିଧାରୀ ନିଯୁକ୍ତି ପାଇବେ । ରାଜ୍ୟର ମୋଟ ୬୦ ଲକ୍ଷ ଲୋକଙ୍କୁ ଏହି ୫ଟି ହସ୍ପିଟାଲ ସେବା ଯୋଗାଇଦେବା ନେଇ ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନୟନ ସର୍ବଦା ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକତାକୁ କୁଶଳ, ପାରଦର୍ଶୀ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତିରେ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ପାଇଁ ଆମର ପ୍ରତିବଦ୍ଧତା ପୂରଣ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.