ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ସବୁ ୟୁନିଫର୍ମ ସେବାର ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ନିମନ୍ତେ ଅଗ୍ନିବୀରଙ୍କୁ କୌଣସି ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏହାସହିତ ସେମାନଙ୍କୁ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ଓ ନିର୍ଦ୍ଧାରିତ ବୟସସୀମା(୩ବର୍ଷ) କୋହଳ ସୁବିଧା ମିଳିବ । ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚାକିରିରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି।
୧ ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ। ପୁଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ରହିବାର ବ୍ୟବସ୍ଥା ରହିଥିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି। ଏଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ବି ମିଳିବ ଚାକିରି। ଅବିବାହିତା ଝିଅଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ଆଜି ପୂର୍ବାହ୍ନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର ନିୟମାବଳୀ-୨୦୨୪ର ପ୍ରଣୟନକୁ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟର ୟୁନିଫର୍ମ ସେବାରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହେଉଥିବା ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗର ପଦପଦବୀରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ଆନୁଭୂମିକ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ରହିବ ।
Comments are closed.