ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଅଂଶୁଘାତରେ ୧୧ ଜଣଙ୍କ ପ୍ରାଣ ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହରାଷ୍ଟ୍ରରେ। ଖୋଲା ଆକାଶ ତଳେ ଭୂଷଣ ବଣ୍ଟନ ସମାରୋହ ଚାଲିଥିବାବେଳେ ଖରା ସହିନପାରି ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୨୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ପ୍ରାୟ ୫୦ ଜଣଙ୍କୁ ଖରଘରସ୍ଥିତ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।ଗତକାଲି ନାଭି ମୁମ୍ବାଇର ଖରଘର ଅଞ୍ଚଳର ଏକ ଖୋଲା ପଡିଆରେ ଭୂଷଣ ସମ୍ମାନ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ସାମାଜିକ କର୍ମୀ ଦତ୍ତାତ୍ରେୟ ନାରାୟଣ ଓରଫ ଆପାସାହେବ ଧର୍ମାଧିକାରୀଙ୍କୁ ମହାରାଷ୍ଟ୍ର ଭୂଷଣ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ଦ୍ବାରା ଏହି ସମାରୋହ ଆୟୋଜିତ ହୋଇଥିଲା। ସମାରୋହରେ ଯୋଗଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ଏଠାରେ ଲୋକ ରୁଣ୍ଢ ହେବାରେ ଲାଗିଥିଲେ। ପୂର୍ବାହ୍ନ ସାଢ଼େ ୧୧ଟାରୁ ପ୍ରାୟ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଉକ୍ତ ସମାରୋହ ଚାଲିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ସମ୍ମାନ ଧର୍ମାଧିକାରୀଙ୍କୁ ପ୍ରଦାନ କରିଥିଲେ।
ତେବେ ଖୋଲା ପଡିଆରେ ଏତେ ବଡ ସମାରୋହ ହୋଇଥିବାବେଳେ କୌଣସି ସେଡ ତିଆରି ହୋଇନଥିଲା। ଆଜି ଦିନର ତାପମାତ୍ରା ପ୍ରାୟ ୩୮ ଡିଗ୍ରୀ ବୋଲି କୁହାଯାଉଛି। ତେବେ ଅତ୍ୟଧିକ ଖରା ଯୋଗୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଫଡନଭିସ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।