ଚାକିରିରୁ ବହିଷ୍କୃତ ହେଲେ ୨ ନକଲି ଅଧ୍ୟାପକ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜରେ ଦୁଇ ନକଲି ଅଧ୍ୟାପକ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ୪ ନକଲି ଶିକ୍ଷକଙ୍କୁ ବହିଷ୍କୃତ କରିଥିବା ରାଜ୍ୟ ସରକାର ଏବେ ଦୁଇ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ବଲାଙ୍ଗିର ଯୋଗୀମୁଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ରାଜେନ୍ଦ୍ର ମେହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ମେହେର ଓ ନରେନ୍ଦ୍ର ନାଗ । ଏମାନେ ଜାଲ୍ ମାର୍କସିଟ୍ ବଳରେ ଚାକିରି ପାଇଥିବାର ଅଭିଯୋଗ ହୋଇଛି। ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନାରେ ଏହି ଦୁଇ ଅଧ୍ୟାପକଙ୍କ ବିରୋଧରେ ଏତଲା ଦିଆଯାଇଛି।

ଏଥିସହ ଏହି ଦୁଇ ଅଧ୍ୟାପକଙ୍କୁ ସେମାନେ ଦରମା ଆକାରରେ ପାଇଥିବା ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି। ଉଭୟ ନକଲି ଅଧ୍ୟାପକଙ୍କ ସାର୍ଟିଫିକେଟରେ ସମ୍ବଲପୁର ୟୁନିଭରସିଟିର ଫେକ୍‌ ଷ୍ଟାମ୍ପ ବାଜିଛି। ସେମାନଙ୍କ ମଧ୍ୟରୁ ଲିଙ୍ଗରାଜ ମେହେର ଓଡ଼ିଆ ଅଧ୍ୟାପକ ଥିବା ବେଳେ ନରେନ୍ଦ୍ର ନାଗ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ୟ୍ୟରତ ଥିଲେ। ଉଭୟ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ବି କେହି ତାହାର ଟେର ପାଇ ନଥିଲେ। ସଂପୃକ୍ତ ପ୍ରିନ୍ସପାଲମାନେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗଙ୍କୁ ଅବଗତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାଟଣାଗଡ଼ ପୁଲିସ୍‌ ଏହାକୁ ହାଲକା ମାମଲା ଭାବେ ଗ୍ରହଣ କରି ମାମଲା ରୁଜୁ କରିଥିବା ବେଳେ ଉଭୟ ଏବେ ଜାମିନରେ ବାହାରେ ବୁଲୁଥିବା ଜଣାଯାଇଛି। ପୁଲିସର ଏପରି ଖାମଖିଆଲି କାର୍ୟ୍ୟାନୁଷ୍ଠାନ କଥା ବିଧାନସଭାରେ ପଡ଼ିବ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିବା ବେଳେ ବିଜେପି ନେତା ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

Leave A Reply

Your email address will not be published.