ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିହାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମଦମୁକ୍ତ ରାଜ୍ୟ ବିହାରରେ ପୁଣିଥରେ ବିଷାକ୍ତ ମଦ ପିଇ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ୬ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୋତିହାରୀର ଲକ୍ଷ୍ମୀପୁର, ପହରପୁର ଏବଂ ହରସିଦ୍ଧି ବ୍ଲକ୍ରେ ଏହି ବିଷାକ୍ତ ମଦମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁଯାୟୀ ବିଷାକ୍ତ ମଦ ଭର୍ତ୍ତି ହୋଇଥିବା ଏକ ଟ୍ୟାଙ୍କର ମୋତିହାରି ଅଣାଯାଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଣ୍ଟାଯାଇଥିଲା।
ଏହି ବିଷାକ୍ତ ମଦ ପିଇ ଏତେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ପୁଲିସ ଏବଂ ପ୍ରଶାସନ ଉକ୍ତ ଘଟଣାରେ ଏଯାବତ କୌଣସି ଟିପ୍ପଣୀ ରଖିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ବିହାରରେ ବିଷାକ୍ତ ମଦମୃତ୍ୟୁ ଯୋଗୁଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପିର ଟାର୍ଗେଟ୍ରେ ରହିଛନ୍ତି। ସରନ ଜିଲ୍ଲାରେ ବିଷାକ୍ତ ମଦ ଯୋଗୁଁ ନିକଟରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଏନଏଚଆରସି ରିପୋର୍ଟ ପ୍ରକାଶ ପାଇଥିଲା।
ରିପୋର୍ଟରେ ମଦମୃତ୍ୟୁ ପାଇଁ ପ୍ରଶାସନକୁ ଦାୟୀ କରାଯାଇଥିଲା। ଏହି ପ୍ରସଙ୍ଗରେ ବିଜେପି ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛି। ଅନ୍ୟପକ୍ଷେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି, ରାଜ୍ୟକୁ ଏନ୍ଏଚଆରସି ଟିମ୍ର ଗସ୍ତ ବିଜେପିର କାମ।
ରାଜ୍ୟ ସରକାରଙ୍କୁ ଅପମାନିତ କରିବାପାଇଁ ବିଜେପି ଏହି କାମ କରିଛି। ଉଲ୍ଲେଖଯୋଗ୍ୟ, ମଦମୃତ୍ୟୁ ପ୍ରସଙ୍ଗରେ ନୀତୀଶ ପୂର୍ବରୁ ଏକ ବିବାଦୀୟ ଟିପ୍ପଣୀ ଦେଇ କହିଥିଲେ ଯେ, ଯିଏ ମଦ ପିଇବ ସିଏ ମରିବ।