ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।  ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଖଣ୍ଡତଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭଦ୍ରକ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଖାଦ୍ୟରେ ଝିଟିପିଟି ପଡ଼ିଥିବାରୁ ଏମିତି ହେଲା ବୋଲି ଅଭିଯୋଗ ହୋଇଛି। ଗୋଳକ ଦାସ ନାମକ ଜଣେ ଅଭିଭାବକ କହିଛନ୍ତି ଯେ ଖାଦ୍ୟରେ ଛୋଟ ଝିଟିପିଟି ଟିଏ ପଡ଼ିଥିଲା। ଝିଟିପିଟିଟି ବହୁତ ଛୋଟ ଥିଲା। ତେବେ ଏ କଥା ଜଣାପଡ଼ିବା ବେଳକୁ ଏହି ପିଲାମାନେ ଖାଦ୍ୟ ଖାଇ ସାରିଥିଲେ ଓ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଏହା ଦେଖି ବାକି ପିଲାମାନଙ୍କୁ ଖାଇବାକୁ ଦିଆଯାଇ ନଥିଲା। ସବୁ ଅସୁସ୍ଥ ପିଲାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଚିକିତ୍ସା ପରେ ସବୁ ପିଲା ସୁସ୍ଥ ଅଛନ୍ତି।

ଡାକ୍ତର ରତିକାନ୍ତ ମଲ୍ଲିକ କହିଛନ୍ତି, ମୋଟ ୨୪ ଜଣ ଛାତ୍ରଛାତ୍ରୀ ଆସିଥିଲେ। ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ତଥାପି ସେମାନଙ୍କ ଉପରେ ନଜର ରଖାଯାଇଛି। ଯଦି କୌଣସି ପ୍ରତିକ୍ରିୟା ଦେଖାଯିବ, ତା’ହେଲେ ସେହି ଅନୁସାରେ ଚିକିତ୍ସା କରାଯିବ। ପିଲାମାନେ ଅସୁସ୍ଥ ଅନୁଭବ କରିବା ପରେ ଶିକ୍ଷକଶିକ୍ଷୟିତ୍ରୀମାନେ ସେମାନଙ୍କୁ ଡାକ୍ତରଖାନା ଆଣିଥିଲେ। ପ୍ରଧାନଶିକ୍ଷକ ଓ ବିଇଓ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।

Leave A Reply

Your email address will not be published.