ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାକୁ ପୁରିଛି ୧୨୮ ଦିନ । ଆଉ ଆଜି ସେହି ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ହୋଇଛି ଅନ୍ତିମ ସଂସ୍କାର । ଏହାରି ଭିତରେ ଘଟଣାକୁ ୧୨୮ ଦିନ ବିତିଛି । କିନ୍ତୁ ସେଦିନର ସେହି ଛାତିଥରା ଘଟଣା ଆଜି ବି ସମସ୍ତଙ୍କ ମନରେ ଜୀବନ୍ତ ହୋଇ ରହିଛି ।
ଏହି ଘଟଣାରେ ମୃତୁ୍ୟବରଣ କରିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ପରିବାର ଲୋକେ ଚିହ୍ନଟ କରିବା ପରେ ଆଉ ୨୮ଟି ମୃତଦେହ ଚିହ୍ନଟ ହୋଇ ପାରିନଥିଲା । ଆଉ ଆଜି ସେହି ମୃତଦେହ ଗୁଡିକର ଭରତପୁର ଶ୍ମଶାନରେ ଅନ୍ତିମ ସଂସ୍କାର କରିଛି ବିଏମସି । ଗତକାଲି ଅପରାହ୍ନରେ ଦିଲ୍ଲୀରୁ ସିବିଆଇର ଏକ ସ୍ୱତନ୍ତ୍ର ଟିମ ଏମ୍ସରେ ପହଂଚିଥିଲେ । ଏମ୍ସ, ସିବିଆଇ ଓ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଂଟେନର ଖୋଲା ଯାଇଥିଲା । ଏହାପରେ ମୃତଦେହ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ପ୍ରାୟ ୪ମାସ ହେଲା ମୃତଦେହ ଗୁଡିକୁ ଫ୍ରିଜରେ ରଖା ଯାଇଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କ ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ଫେରାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା ।
କିଛି କ୍ଷେତ୍ରରେ ତାହା ସମ୍ଭବ ନହେବାରୁ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତି ହୋଇଥିଲା । ୧୧୦ ଜଣ ଦାବିଦାରଙ୍କ ମଧ୍ୟରୁ ୫୩ଟି ଡିଏନଏ ମ୍ୟାଚ କରିବା ପରେ ପ୍ରକୃତ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ବାକି ମୃତଦେହ ନେବା ଲାଗି କୌଣସି ଦାବିଦାର ଆସିନଥିଲେ। ଫଳରେ ମଙ୍ଗଳବାର ଦିନଠାରୁ ୨୮ଟି ମୃତଦେହର ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଛି।