ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୩ ଘଣ୍ଟିଆ ସତର୍କତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ, ବାଲେଶ୍ବର ପରେ ଏବେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷିବ। ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ଏହି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ବର୍ଷା ବଜ୍ରପାତ ହେବ ବୋଲି ଜଣାପଡିଛି। ଏଠିକାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନବାହାରିବା ସହ ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ମଙ୍ଗଳବାର ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ମଙ୍ଗଳବାରଠାରୁ ଏହାର ପ୍ରଭାବ ରହିବନି ଓ ପାଗ ପ୍ରାୟତଃ ଶୁଖିଲା ରହିବ। ୧୭ ଓ ୧୮ ତାରିଖରେ ବିଶେଷ ବର୍ଷା ନାହିଁ ଓ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି।

ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ଭଦ୍ରକରେ ୪୯, ଯାଜପୁରରେ ୨୫, ଦାରିଙ୍ଗବାଡ଼ିରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.