ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ପୁଣି ନିଲମ୍ବିତ ହେଲେ ୪୯ ଲୋକସଭା ସାଂସଦ । ଲୋକସଭାରେ ହଙ୍ଗାମା ପାଇଁ ଆଜି ୪୯ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଏହାପୂର୍ବରୁ ଗତକାଲି ୭୮ ଜଣ ସାଂସଦ ସସପେଣ୍ଡ ହୋଇଥିଲେ । ଦୁଇ ଦିନରେ ସଂସଦର ଉଭୟ ଗୃହରୁ ନିଲମ୍ବିତ ହୋଇଛନ୍ତି ୧୪୧ ଜଣ ବିରୋଧୀ ସାଂସଦ । ସଂସଦରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ସାଂସଦ।
କଂଗ୍ରେସ ସାଂସଦ ଶଶିି ଥରୁର କହିଛନ୍ତି, ‘ ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ଶାସକ ଦଳ ବିରୋଧୀ ମୁକ୍ତ ଲୋକସଭା ଚାହୁଁଛନ୍ତି। ସେମାନେ ରାଜ୍ୟସଭାରେ ମଧ୍ଯ ସମାନ ନୀତି ପ୍ରୟୋଗ କରିବେ। ସଂସଦୀୟ ଗଣତନ୍ତ୍ରରେ ଏହା ଦୁର୍ଭାଗ୍ୟଜନକ ଘଟଣା’ । ଏନସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ, ‘ସଂସଦରେ ସୁରକ୍ଷା ଉଲ୍ଲଂଘନ ଘଟଣାରେ ଆମେ କେବଳ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ଚାହୁଁଥିଲୁ ଏବଂ ଗୃହରେ ଆଲୋଚନା ପାଇଁ ଦାବି କରୁଥିଲୁ।’ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବଙ୍କ ପ୍ରତିକ୍ରିୟା ‘ ଏହା କେନ୍ଦ୍ର ସରକାରଙ୍କର ବିଫଳତା ଦର୍ଶାଉଛି ‘।ଗତକାଲି (ଡିସେମ୍ବର 18) ଲୋକସଭାରୁ 33 ଜଣ ଓ ରାଜ୍ୟସଭାରୁ 45 ଜଣ, ଏପରି ମୋଟ 78 ଜଣ ବିରୋଧୀ ସଦସ୍ୟଙ୍କୁ ଅଶୋଭନୀୟ ଆଚରଣ ଅଭିଯୋଗରେ ଚଳିତ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା।
ଯାହା କି ଗୋଟିଏ ଦିନରେ ସର୍ବକାଳୀନ ସସପେଣ୍ଡ। ଏହା ପୂର୍ବରୁ ଉଭୟ ଗୃହରୁ 14 ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିରେ ଥିଲେ ଲୋକସଭାରୁ 13 ଜଣ ଏବଂ ରାଜ୍ୟସଭାରୁ 1 । ଗତକାଲି ପର୍ଯ୍ୟନ୍ତ ମୋଟ 92 ଜଣ ସାଂସଦଙ୍କୁ ସସପେଣ୍ଡ କରାଯାଇଥିବା ବେଳେ, ଆଜି ଆଉ 49 ଜଣଙ୍କୁ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସଂସଦର ଚଳିତ ଶୀତ ଅଧିବେଶନରେ ମୋଟ 141 ଜଣ ବିରୋଧୀ ସାଂସଦ ସସପେଣ୍ଡ ହୋଇଛନ୍ତି।ପୂର୍ବରୁ ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାରରେ ଗୋଟିଏ ଦିନରେ 63 ଜଣ ସାଂସଦ ନିଲମ୍ବିତ ହୋଇଥିଲେ।
1989 ମସିହାରେ ଏକକାଳୀନ 63 ସଦସ୍ୟଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ଠାକ୍କର କମିଶନକୁ ବିରୋଧ କରି ଗୃହରେ ହଟ୍ଟଗୋଳ କରିଥିଲେ ଏହି ସଦସ୍ୟମାନେ । ମାତ୍ର ଏହି ନିଲମ୍ବନ ସମ୍ପୂର୍ଣ୍ଣ ଅଧିବେଶନ ନୁହେଁ ବରଂ ସ୍ବଳ୍ପକାଳୀନ ଅବଧି ବିଶିଷ୍ଟ ଥିଲା । ସେମାନଙ୍କୁ ମାତ୍ର 3ଟି କାର୍ଯ୍ୟଦିବସରୁ ନିଲମ୍ବନ କରାଯାଇଥିଲା।