ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏ ବର୍ଷ ରାଜ୍ୟରେ ମୋଟ ୫ କୋଟି ଗଛ ଲଗାଇବା ପାଇଁ ଟାର୍ଗେଟ କରିଛି ବନ ବିଭାଗ। ଶିକ୍ଷାନୁଷ୍ଠାନ, ଘରୋଇ ଅନୁଷ୍ଠାନ, ଛାତ୍ରଛାତ୍ରୀ ଭଳି ସମସ୍ତଙ୍କୁ ବଣ୍ଟାଯିବ ଚାରା। ସମସ୍ତେ ଅତି କମ୍ ରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି। ବୃକ୍ଷରୋପଣରେ ଓଡ଼ିଶା ହେବ ନମ୍ବର ଏକ। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଚଳିତ ବର୍ଷ ରାଜ୍ୟରେ ୫କୋଟି ଗଛ ଲଗାଯିବା ନେଇ ପ୍ରସ୍ତୁତି କରାଯାଉଥିବା ପରିବେଶ ସଚିବ କହିଛନ୍ତି ।
ବୃକ୍ଷରୋପଣ ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁଙ୍କ ଏହି ସୂଚନା ଦେଇଛନ୍ତି । ଗଛ ଲଗାଇବା ପାଇଁ ୧୮ ମାସିଆ ପରିବର୍ତ୍ତେ ୩୦ ମାସିଆ ଚାରା ଯୋଗାଇ ଦିଆଯିବ । ଏହାସହିତ ପରିବେଶ ସୁରକ୍ଷା ପାଇଁ ପରିବେଶ ଅନୁକୂଳ ପଲିଥିନ୍ ଦିଆଯିବ । ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ୧୬ଲକ୍ଷ ତାଳ ଗଛ ଲଗାଯିବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗ ଦେଇ ଗଛ ଲଗାଇଛନ୍ତି । ରେକର୍ଡ କରିଛି ଓଡ଼ିଶା। ‘ଏକ ପେଡ ମା କେ ନାମ’ ହ୍ୟାଚ ଟ୍ୟାଗରେ ସାରା ଦେଶରେ ସବୁଠୁ ଅଧିକ ଗଛ ଲଗାଇବା ଫଟୋ ଅପଲୋଡ଼ ହୋଇଛି ଓଡ଼ିଶାରୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱେବ ସାଇଟରୁ ଏ ତଥ୍ୟ ମିଳିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସତ୍ୟବ୍ରତ ସାହୁ। ଏ ପର୍ଯ୍ୟନ୍ତ ୧ ଲକ୍ଷ ୪୫ ହଜାର ଗଛ ଲଗାଯାଇ ଫଟୋ ଅପଲୋଡ଼ ହୋଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଏଥିପାଇଁ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଜି ଡ଼ୁମଡ଼ୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।