ମିଡ୍‌ ନାଇଟରେ ପୁଣି ଭୟଙ୍କର ଦୁର୍ଘଟଣା: ବରପକ୍ଷଙ୍କ ଉପରେ ମାଡ଼ିଗଲା ୧୨ ଚକିଆ ଟ୍ରକ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମଧ୍ୟରାତ୍ରିରେ ମହାଦଶା। ମିଡ୍‌ ନାଇଟରେ ପୁଣି ଭୟଙ୍କର ଦୁର୍ଘଟଣା । କନ୍ୟାଘର ପାଖରେ ନାଚୁଥିଲେ ବରଯାତ୍ରୀ । ଏହି ସମୟରେ ବରପକ୍ଷଙ୍କ ଉପରେ ମାଡ଼ିଗଲା ୧୨ ଚକିଆ ଟ୍ରକ୍‌। ନିମିଷକରେ ବଦଳିଗଲା ପରିବେଶ। ନାଚଗୀତ ପାଲଟିଗଲା ନିରବତାରେ। କେନ୍ଦୁଝର ଟାଉନ ଥାନା ଷଠିଘର ସାହିରେ ମର୍ମନ୍ତୁଦ ଦୁର୍ଘଟଣା। ଝିଅ ଘର ଆଗରେ ପହଞ୍ଚି ସାରିଥିଲା ବରଯାତ୍ରୀ। ଦୂର ଥିଲା ମାତ୍ର ୪୦ ମିଟର । ଡିଜେ ଓ ବ୍ୟାଣ୍ଡରେ ନାଚୁଥିଲେ ଉଭୟ ବର ଓ କନ୍ୟା ପକ୍ଷ। ହଠାତ ଶୋଭାଯାତ୍ରା ଉପରେ ଦ୍ରୁତ ଗତିରେ ମାଡ଼ି ଯାଇଥିଲା ୧୨ଚକିଆ ଟ୍ରକ୍‌। ଘଟଣାସ୍ଥଳରେ ପ୍ରାଣ ହରାଇଲେ ୫ଜଣ। ସ୍ତବ୍‌ଧ ହୋଇଗଲା ପରିବେଶ। ହସଖୁସି ବଦଳରେ କାନ୍ଦବୋବାଳିରେ ଫାଟି ପଡିଲା କନ୍ୟା ଘର। ୯ ଆହତଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ମର୍ମନ୍ତୁଦ ଦୁର୍ଘଟଣା ପରେ ବନ୍ଦ ହୋଇଯାଇଥିଲା ବାହାଘର। ଗାଁରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ମୃତକଙ୍କୁ କ୍ଷତିପୂରଣ ଓ ଓଭରବ୍ରିଜ ନିର୍ମାଣ ଦାବିରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ଅଞ୍ଚଳବାସୀ। ପୋଲିସ ଓ ତହସିଲଦାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଦୀର୍ଘ ୧୦ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଷଠୀଘର ସାହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଥାନାରେ ଅଟକ ରଖାଯାଇଛି।

 

ବରଯାତ୍ରୀ ପାଇଁ ଅଭିଶପ୍ତ ପାଲଟିଛି ରାତି। ୩ଦିନ ମଧ୍ୟରେ ଦ୍ୱିତୀୟ ବଡ଼ ଦୁର୍ଘଟଣା। ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ପାଖରେ ମର୍ମନ୍ତୁଦ ଦୁର୍ଘଟଣାରେ କନ୍ୟାପକ୍ଷର ଯାଇଥିଲା ୧୧ ଜଣଙ୍କ ଜୀବନ। ସରକାରୀ ବସ ଡ୍ରାଇଭର ଆଖି ଲାଗିଯିବାରୁ ଘଟିଗଲା ଭୟଙ୍କର ଦୁର୍ଘଟଣା। ଏଠି ପ୍ରଶ୍ନ ଉଠୁଛି, ବିବାହ ଶୋଭାଯାତ୍ରା ବେଳେ ଏତେ ଆଲୋକ, ସାଉଣ୍ଡ ଭିତରେ ଟ୍ରକ ଡ୍ରାଇଭର କେମିତି ଜାଣିପାରିଲାନି ? ଭିଡ଼ ଦେଖି ମଧ୍ୟ ଗାଡ଼ିକୁ ଡ୍ରାଇଭର ନିୟନ୍ତ୍ରଣ କଲା ନାହିଁ କାହିଁକି? ଗାଡ଼ି ଚଳାଇବା ବେଳେ ନିଶାସକ୍ତ ଥିଲେ କି? ୨୦୨୨ରେ ରାଜ୍ୟରେ ୫ ହଜାର ୪୬୭ ଜଣ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ୨୦୨୩ ଜାନୁଆରୀ ଓ ଫ୍ରେବୁଆରୀରେ ୧ ହଜାର ୭୩ ଜଣଙ୍କ ମୃତ୍ୟୁ ହୋଇଥିଲା ଚଳିତବର୍ଷ ଏହି ଦୁଇ ମାସରେ ୨୪.୯୧ ପ୍ରତିଶତ ବୃଦ୍ଧି ହୋଇଛି।… କେନ୍ଦୁଝରରୁ ରଞ୍ଜନ ତ୍ରିପାଠୀ ଓ ଘଟଗାଁରୁ ଭବାନୀ ମହାନ୍ତଙ୍କ ରିପୋର୍ଟ,

Leave A Reply

Your email address will not be published.