ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ ରାତିରେ ରକ୍ତ ରଞ୍ଜିତ ହୋଇଛି ସୁନ୍ଦରଗଡ଼। ପରକିୟା ପ୍ରୀତିରୁ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଛି ଭୟଙ୍କର ସଂଘର୍ଷ । ଗଡ଼ିଛି ୫ ମୁଣ୍ଡ । ମୃତକଙ୍କ ମଧ୍ୟରେ ୩ ମହିଳା ଥିବା ଜଣାଯାଇଛି। ସୁନ୍ଦରଗଡ଼ ସଦର ଥାନା କରମଡିହି ଅଞ୍ଚଳର ଗୀତାପଡ଼ାରେ ଘଟିଛି ଏହି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ। ତେବେ ସୂଚନା ମୁତାବକ, ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ମଙ୍ଗଳବାର-ବୁଧବାର ରାତିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ମୃତକମାନେ ହେଲେ ଛମା ଭୋସଲେ (୨୫), ଭାଇ ସୁବାସ ପାୱାର (୨୩), ଚରଣ କୁମାର (୪୫), ତାଙ୍କ ପତ୍ନୀ କାଇଲା କୁମାର (୩୫) ଓ ଦାଦି କୁଣ୍ଡି ପାୱାର। ଆହତମାନେ ହେଲେ ଅବିନାଶ ପାୱାର (୩୦), ପୀୟୁଷ କୁମାର (୧୩), ମଞ୍ଜୁ ପାୱାର (୧୦), ଅନିଶା କୁମାରୀ (୧୨)। ଏମାନେ ସମସ୍ତେ ଦୁଇଟି ପରିବାରର ଲୋକ ଥିଲେ। ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇଯାଇଥିବା ବେଳେ, ସେମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଞ୍ଚିଛନ୍ତି। ଗତ କିଛି ମାସରୁ ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଦୁଇଟି ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ସେ ମଧ୍ୟରୁ ଜଣେ ଅବିନାଶ ପାୱାରର ପ୍ରଥମ ସ୍ତ୍ରୀ ଗୋଟେ ପୁଅ ଏବଂ ତାକୁ ଛାଡି ଅନ୍ୟ କାହା ସହିତ ପଳାଇଗଲା ପରେ ଅବିନାଶ ଦ୍ବତୀୟ ଗୋଷ୍ଠୀର ଜଣେ ମହିଳାକୁ ଦ୍ବିତୀୟ ସ୍ତ୍ରୀ କରିବାକୁ ନେଇ ଆସିଥିଲେ।
ଅବିନାଶ ଯେଉଁ ମହିଳାଙ୍କୁ ଦ୍ବିତୀୟ ସ୍ତ୍ରୀ କରିଥିଲେ, ସେ ମଧ୍ୟ ଜଣେ ବିବାହିତ ଥିଲେ ଏବଂ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅବିନାଶଙ୍କ ପୂର୍ବ ସ୍ତ୍ରୀ ପଟରୁ ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀ ପଟରୁ ଦୁଇଟି ସନ୍ତାନ ରହିଛନ୍ତି। ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇ ଥିବା ବେଳେ ସଦର ଏସଡିପିଓ, ଏସପି ଏବଂ ଡିଆଇଜି ପଶ୍ଚିମାଞ୍ଚଳ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ଆକ୍ରମଣକାରୀମାନେ ଅପର ଯାଯାବର ଗୋଷ୍ଠୀର ବୋଲି ଅବିନାଶ ବୋଲି ପୁଲିସ୍ ସମ୍ମୁଖରେ କହିଛନ୍ତି।