ଏୟାର୍‌ ସୋ’ ପାଇଁ ଚାଲିଗଲା ୫ ଜୀବନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରବିବାର ଦିନ ଚେନ୍ନାଇରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଏୟାର ସୋ’ ସମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରବିବାର ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଚେନ୍ନାଇର ମରିନା ବିଚ୍‌ରେ ଏୟାର ଶୋ’ ଆୟୋଜନ ହୋଇଥିଲା। ତେବେ ଶୋ’ ଦେଖିବାକୁ ଆସିଥିବା ୫ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।

ସେହିପରି ୨୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି | ଏହି ଦୁର୍ଘଟଣା ଘଟିବା ପରେ ବିରୋଧୀମାନେ ଏବେ ତାମିଲନାଡୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଏୟାର୍ ସୋ’ ପ‌ାଇଁ ହଜାର ହଜାର ଲୋକ ଅତ୍ୟଧିକ ଗହଳି, ଟ୍ରାଫିକ୍ ଜାମ୍ ଏବଂ ପ୍ରଚଣ୍ଡ ଉତ୍ତାପ ମଧ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ମୁତାବକ, ରବିବାର ବାୟୁସେନାର ଏୟାର ଶୋ’ ଦେଖିବାକୁ ଚେନ୍ନାଇର ମରିନା ବିଚ୍‌ରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭିଡ ଜମାଇଥିଲେ। ଏହି ସମୟରେ ପ୍ରବଳ ଗୁଳୁଗୁଳୁ ଗରମ ହେଉଥିଲା। ଡିହାଇଡ୍ରେସନ ଯୋଗୁ ଗତକାଲି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୨ ଜଣ ଆଖି ବୁଜିଛନ୍ତି।

ସେହିପରି ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହିଟ୍‌ ଷ୍ଟ୍ରୋକ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। କୁହାଯାଉଛି ଯେ, ଟ୍ରାଫିକ ଅଧିକାରୀଙ୍କ ଖରାପ ଯୋଜନା କାରଣରୁ ଚେନ୍ନାଇରେ ଲକ୍ଷାଧିକ ଲୋକେ ଫସି ରହିଥିଲେ। ସହରର ଅନେକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠି ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ଅନ୍ୟପଟେ ଯେଉଁଠି କାର୍ଯ୍ୟକ୍ରମ ହେଉଥିଲା, ଅର୍ଥାତ ମରିନା ବିଚ୍‌ରେ ଏକତ୍ରିତ ହୋଇଥିବା ଲୋକେ କାର୍ଯ୍ୟକ୍ରମ ପରେ ସେଠାରୁ ଫେରିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ।

Comments are closed.