ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଖାତରେ ଖସି ପଡ଼ିଲା ହେଲିକପ୍ଟର। ସେହି ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହିତ ୫ ଜଣ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ଯାତ୍ରୀମାନେ କେଦାରନାଥ ଧାମକୁ ହେଲିକପ୍ଟରରେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।
ବାବାଙ୍କ ଦର୍ଶନ କରିବା ପାଇଁ ହେଲିକପ୍ଟରେ ଯାଉଥିଲେ ଶ୍ରଦ୍ଧାଳୁ। ହେଲେ ମଝି ଆକାଶରେ ଖରାପ ହୋଇଗଲା ବିମାନର ରୁଡର । ଫଳରେ କେଦାରନାଥରେ ଜରୁରୀ ଅବତରଣ କଲା ହେଲିକପ୍ଟର । ହେଲିପ୍ୟାଡରୁ ମାତ୍ର ୧୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ ହେଲିକପ୍ଟରଟିକୁ କେଦାରନାଥରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ହେଲିପ୍ୟାଡରେ ଲ୍ୟାଣ୍ଡ କରି ନ ପାରି ତା’ ନିକଟରେ ଥିବା ଏକ ଖାତରେ ଖସିପଡ଼ିଥିଲା । ତେବେ ହେଲିକପ୍ଟରରେ ରହିଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ରହିଥିବା ଜଣାପଡିଛି ।
କହିରଖୁଛୁ କି, ବର୍ତ୍ତମାନ କେଦାର ଯାତ୍ରା ଜାରି ରହିଥିବା ବେଳେ ବାବାଙ୍କ ଦର୍ଶନ କରିବା ପାଇଁ ହେଲିକପ୍ଟର ସେବା ମଧ୍ୟ ଜାରି ରହିଛି । କେଦାରନାଥ ଧାମର 100 ମିଟର ପୂର୍ବରୁ ପାହାଡ ଉପରେ କ୍ରିଷ୍ଟାଲ ଆଭିଏସନର ହେଲିକପ୍ଟରର ରୁଡର ଖରାପ ହୋଇଗଲା । ହେଲିକପ୍ଟରରେ 6ଜଣ ଯାତ୍ରୀ ରହିଥିବା ବେଳେ ପାଇଲଟ କଳ୍ପେଶ ବିମାନ ଅବତରଣ କରି ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି ।