ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକରୁ ବିପୁଳ ପରିମାଣରେ ଟଙ୍କା ଜବତ। ଜଣେ ଗଞ୍ଜେଇ ବେପାରୀ ନିକଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କଲା ବାଦାମବାଡ଼ି ଥାନା ପୋଲିସ। କିଛି ଗଞ୍ଜେଇ ବି ଜବତ ହୋଇଛି।.ଘଟଣାରେ ନାରାୟଣ ପତି ଓ ଅବକାଶ ସ୍ୱାଇଁ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ୨୦ କିଲୋ ୫୦୦ଗ୍ରାମ ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ବାଦାମବାଡ଼ି ଥାନା ପୋଲିସ। ଏହା ସହିତ ଅଭିଯୁକ୍ତଙ୍କ ଠାରୁ ୮୦ଗ୍ରାମ ସୁନା ଗହଣା ମଧ୍ୟ ଜବତ କରାଯାଇଛି।
ପୂର୍ବରୁ ଏହି ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଛି । ମୁଖ୍ୟ ଅଭିଯୁକ୍ତ ନାରାୟଣ ପତି ବେଶ୍ ଚତୁର ଥିଲା। ଗଞ୍ଜେଇ ବେପାରର ଭଲ ଟ୍ରିକ୍ ଜାଣିଥିଲା। ଧରା ପଡିଲେ ଶୀଘ୍ର ମୁକୁଳିବା ଯିବା ପାଇଁ ଅଳ୍ପ ପରିମାଣରେ ଗଞ୍ଜେଇ ବିକ୍ରି କରି ଆସୁଥିଲା। କମର୍ସିଆଲ କ୍ୱାଣ୍ଟିଟି ଅର୍ଥାତ ୨୦ କେଜିରୁ କମ ଗଞ୍ଜେଇ ଚାଲାଣ କଲେ ଆଇନ ଅନୁଯାୟୀ ଦଣ୍ଡ ଅପେକ୍ଷାକୃତ କମ ରହିଥାଏ। ତେଣୁ ଏବିଷୟରେ ଭଲ ଜ୍ଞାନ ପାଇଥିବାରୁ ଗଞ୍ଜେଇ ବେପାରରେ ତାକୁ ଅସୁବିଧା ହେଉନଥିଲା। ଜବତ ଟଙ୍କା ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦେଶାଳୟ ଓ ଆୟକର ବିଭାଗକୁ ଅବଗତ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି।