ପୁଲିସ ଦ୍ଵାରା ଜବତ ୫୪ଗୋଟି ଛିନତାଇ ମୋବାଇଲ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଟାଉନ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ବାରିପଦା ସହର ରଥଯାତ୍ରା ମେଳାରୁ ଚୋରି ହୋଇଥିବା ୫୪ଗୋଟି ମୋବାଇଲ ଉଦ୍ଧାର କରାଯାଇଛି। ଏନେଇ ବାରିପଦା ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶନିବାର ଏକ ମୋବାଇଲ ଫେରସ୍ତ ମେଳାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀ ମାଲିକ ମାନଙ୍କୁ ମୋବାଇଲ ଫେରସ୍ତ କରିଛନ୍ତି। ଏଥି ସହିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ରଥଯାତ୍ରାରୁ ମୋବାଇଲ ଚୋରି ନେଇ ବାରମ୍ବାର ବାରିପଦା ଟାଉନ ଥାନାରେ ଅଭିଯୋଗ ହେଉଥିଲା।

ଏନେଇ ତଦନ୍ତ କରି ପୁଲିସ ଗ୍ୟାଙ୍ଗର ୬ଜଣକୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଜିଲ୍ଲାର ପାଣ୍ଡବେଶ୍ୱର ଥାନା ଅନ୍ତର୍ଗତ ଡିଭିଏସ ପଡା ଅଞ୍ଚଳର ଲକ୍ଷଣ ସିଂ(୩୦), ଶିବ ମାଲି(୨୪), ଶମ୍ଭୁ ଶର୍ମା(୨୦), ପ୍ରଭାତ ସିଂ(୧୯) ଓ ଅନ୍ୟ ୨ଜଣ ନାବାଳକ ରହିଛନ୍ତି। ସୂଚନା ଅନୁଯାୟୀ, ବାରିପଦା ସହରରେ ବର୍ଦ୍ଧିତ ଜନସଂଖ୍ୟା ସମେତ ଅପରାଧିକ ମାମଲାର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ହେବ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରଥଯାତ୍ରା ମେଳାରୁ ମୋବାଇଲ ଛିନତାଇ ନେଇ ଅଭିଯୋଗ ହୋଇଛି। ତୁଳସୀଚୌରା ଅଞ୍ଚଳର ଅନିମେଶ ଅଧିକାରୀ ତାଙ୍କ ପରିବାର ଲୋକଙ୍କ ସମେତ ବାହୁଡା ଯାତ୍ରା ଦେଖିବାକୁ ଆସିଥିଲେ। ସୁଭଦ୍ରା ରଥ ଟଣା ଯିବା ବେଳେ ଭିଡ଼ର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ମୋବାଇଲ ଫୋନ ଚୋରି ହୋଇଥିଲା। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ।

ପୂର୍ବରୁ ମଧ୍ୟ ମୋବାଇଲ ଚୋରି ନେଇ ଅଭିଯୋଗ ଥିବା ବେଳେ ପୁଲିସ ସମସ୍ତ ମାମଲାକୁ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ବେତନଟୀ ଥାନା ଅଧିକାରୀଣି ସସ୍ମିତା ମହାନ୍ତ ଓ ବଡ଼ସାହି ଥାନା ଅଧିକାରୀ ଉମା ଶଙ୍କର ନାୟକଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପୁଲିସ ତଦନ୍ତ କରି ଉକ୍ତ ମୋବାଇଲ ଚୋରି ଗ୍ୟାଙ୍ଗକୁ ଧରିବାରେ ସମର୍ଥ ହୋଇଛନ୍ତି। ପୁଲିସ ଅତ୍ୟାଧୁନିକ ଜ୍ଞାନ କୌଶଳର ସହାୟତାରେ ମୋବାଇଲ ଗୁଡିକ ଉଦ୍ଧାର କରିଛି। ଗିରଫ ମାନେ ପେଶାଦାର ମୋବାଇଲ ଚୋର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଚୋରି ହୋଇଥିବା ୪୯ଗୋଟି ମୋବାଇଲ ଫୋନ ସମେତ ଗିରଫ ଚୋର ମାନଙ୍କ ୫ଗୋଟି ମୋବାଇଲ ଜବତ ହୋଇଛି।

ଏଥି ସହିତ ତାଙ୍କ ପାଖରୁ ୩,୬୦୫ ଟଙ୍କା ଜବତ କରାଯାଇଛି। ଧରା ପଡିଥିବା ସମସ୍ତ ମୋବାଇଲ ଗୁଡିକ ମୂଲ୍ୟ ଆନୁମାନିକ ୧୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଉକ୍ତ ଜବତ ମୋବାଇଲ ଗୁଡିକ ମାଲିକ ମାନଙ୍କୁ ଫେରସ୍ତ କରାଯାଇଛି। ଉକ୍ତ ମୋବାଇଲ ମଧ୍ୟ ଅନେକ ଲକ୍ଷାଧିକ ଟଙ୍କା ମୂଲ୍ୟର ମୋବାଇଲ ରହିଛି। ପୁଲିସ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଜବତ ମୋବାଇଲ ଗୁଡିକ ଅସଲି ମାଲିକଙ୍କୁ ତଦନ୍ତ କରି ଜବତ ମୋବାଇଲ ଫେରସ୍ତ ମେଳା ଜରିଆରେ ପ୍ରଦାନ କରିଛନ୍ତି। ମାଲିକ ମାନେ ଛିନତାଇ ହୋଇଥିବା ମୋବାଇଲ ଫେରସ୍ତ ପାଇ ବେଶ ଖୁସି ହୋଇଥିଲେ। ଗିରଫ ୪ଜଣକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଦୁଇ ଜଣକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମେଶ କୁମାର ପଣ୍ଡା, ବାରିପଦା ଏସଡିପିଓ ସୁଜିତ କୁମାର ପ୍ରଧାନ, ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନ, ଭଞ୍ଜପୁର ଥାନା ଅଧିକାରୀ କରୁଣାକର ରାଉତ ଏବଂ ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ମୋବାଇଲ ଫେରସ୍ତ ମେଳା କଥା ଶୁଣି ଯେଉଁ ମାନଙ୍କ ମୋବାଇଲ ହଜିଛି ସେମାନେ ଆସି ମୋବାଇଲ ନପାଇ ନିରାଶରେ ଫେରିଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.