କଟକ: ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ,୬ଜଣ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଲୋନ୍ ନେବା ଓ କିସ୍ତି ନଭରିବା ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରିଛି ଜଗତପୁର ପୋଲିସ | ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ବୈକୁଣ୍ଠ ବିହାର ଥାନା ଅନ୍ତର୍ଗତ ଚରମ୍ପା ଗ୍ରାମରେ ସୁରେନ୍ଦ୍ର ନାୟକଙ୍କ ଘରେ ରହୁଥିବା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁରର ବିଷ୍ଣୁପଦ ଜେନାଙ୍କ ପୁଅ ରବିନ୍ଦ୍ର ଜେନା(୬୭), କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମର କୃଷ୍ଣ ଚନ୍ଦ୍ର ବାରିକଙ୍କ ପୁଅ ନିମାଇଁ ଚରଣ ବାରିକ, ପୁରୁଷୋତ୍ତମ ବେହେରାଙ୍କ ପୁଅ ମଧୁସୁଦନ ବେହେରା,ଶଙ୍କର ବାରିକଙ୍କ ପୁଅ ଶ୍ରୀଧର ବାରିକ, ବହୁଗ୍ରାମର ଅଶୋକ କୁମାର ରାୟଙ୍କ ପୁଅ କିଶୋର କୁମାର ରାୟ ଓ ସତ୍ୟଭାମାପୁରର ଧୃବ ସାହୁଙ୍କ ପୁଅ ପୂର୍ଣ୍ଣ ଚନ୍ଦ୍ର ସାହୁ।

ପୋଲିସ ସୂଚନା ଅନୁଯାଇ ଜଗତପୁର ଠାରେ ଥିବା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର, ନିମପୁରର ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ସାହୁ ବ୍ୟାଙ୍କରେ ଜାଲ୍ କାଗଜପତ୍ର ଜମାକରି ଲୋନ୍ ନେଇଥିବାର ଏକ ଲିଖତ ଅଭିଯୋଗ ଜଗତପୁର ଥାନାରେ କରିଥିଲେ | ଅଭିଯୋଗ ତଦନ୍ତରୁ ଜଣା ପଡିଥିଲା ଯେ ରବିନ୍ଦ୍ର କୁମାର ଜେନା ଉକ୍ତ ବ୍ୟାଙ୍କରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ୪୫ଟି ସେଭିଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ।  ଚିଫ୍ ଇଞ୍ଜିନିୟର, ଡ୍ରାନେଜ, ଗଣ୍ଡରପୁର, ଅଫିସରୁ ୩୫ଜଣଙ୍କର ଜାଲ୍ କାଗଜପତ୍ର ଜମା କରି ଉକ୍ତ ବ୍ୟାଙ୍କରୁ ବ୍ୟକ୍ତିଗତ ଲୋନ୍ ୧,୦୬,୦୦,୦୦୦/-ଟଙ୍କା ନେଇଥିଲେ | ସେଥିରୁ ଦୁଇ ତିନିଟି କିସ୍ତି ଜମା କରିବା ପରେ କିସ୍ତି ଦେବା ବନ୍ଦ କରିଦେଇଥିଲେ।

ଜମା କରିଥିବା କାଗଜ ପତ୍ର ଜାଞ୍ଚରୁ ସବୁ ଜାଲ୍ ବୋଲି ଜଣା ପଡିବାରୁ ମ୍ୟାନେଜର ଦେବାଶିଷ ସାହୁ ଜଗତପୁର ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ତଦନ୍ତରୁ ସଂପୃକ୍ତ ବ୍ୟକ୍ତି ମାନେ ଜାଲ୍ କାଗଜପତ୍ର ଜମାକରି ଲୋନ୍ ନେଇଥିବା ପୋଲିସ ଜାଣିବାକୁ ପାଇଥିଲା | ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୁଚନା ଦେଇଛି।

Leave A Reply

Your email address will not be published.