ଓଡ଼ିଆ ନ୍ୟୁଜ୍: ଅପରେସନ ସିନ୍ଦୂର ପରେ ପାକିସ୍ତାନ ଲାଗିବ ଆଉ ଏକ ଝଟକା। ଖାଲି ଦୁଇ ଦେଶ ଭିତରେ ନୁହେଁ ପୂରା ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆରମ୍ଭ ହେଲା ପାକିସ୍ତାନ ଉପରେ ପୁନଶ୍ଚ କୂଟନୈତିକ ପ୍ରହାର କରିବାର ପ୍ରକ୍ରିୟା । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ଗଠନ ହେଲା ସର୍ବଦଳୀୟ ପ୍ରତିନିଧି ଦଳ । ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଗଠନ ହେଲା ଦଳ ।
ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ । ତେବେ ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବା ନେବେ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଦେଶ ଗସ୍ତକୁ ସଂଯୋଜନା କରୁଥିବା ବେଳେ ଏଥିରେ ସବୁ ଦଳର ସାଂସଦଙ୍କୁ ସାମିଲ କରାଯାଇଛି । ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ ।