୮ ଜଣଙ୍କୁ ଖାଇଥିଲା ଗଧିଆ, କାବୁ କଲା ବନ ବିଭାଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତର ପ୍ରଦେଶରେ ଆତଙ୍କ ସୃଷ୍ଟି କରିଥିବା ଗଧିଆ ଶେଷରେ ଧରା ପଡ଼ିଛି। ପାଖାପାଖି ୮ ଜଣଙ୍କ ଜୀବନ ନେଇଥିବା ଗଧିଆକୁ କାବୁ କରିଛି ବନ ବିଭାଗ। ଉତ୍ତରପ୍ରଦେଶ ବାହରିଚରେ ଦୀର୍ଘ ଦିନ ହେବ ଆତଙ୍କ ଖେଳାଇଥିଲା ଏହି ଗଧିଆ। ମଣିଷଙ୍କୁ ଆକ୍ରମଣ କରିବାରୁ ୮ଜଣଙ୍କ ଜୀବନ ଯାଇଛି। ବନ ବିଭାଗ ପକ୍ଷରୁ ଗଧିଆକୁ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ପରେ ଜନ୍ତାରେ କଏଦ କରାଯାଇଛି।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ବାହରୈଚରେ ଆତଙ୍କ ସୃଷ୍ଟି କରିଥିଲା ଏହି ଗଧିଆ। ଗତ ଦୁଇ ମାସ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରି ଥିବାବେଳେ ଶେଷ ଥର ପାଇଁ ମଙ୍ଗଳବାର ଏକ ନବଜାତ ଶିଶୁକୁ ମାରିଥିଲା। ଫଳରେ ଗଧିଆକୁ ଧରିବା ପାଇଁ ବନ ବିଭାଗ ବ୍ୟାପକ ପନ୍ଥା ଆପଣାଇଥିଲା। ବନ ବିଭାଗ ଓ ଅଗ୍ନିଶମବାହିନୀ ମିଳିତ ଭାବରେ ଗଧିଆକୁ କାବୁ କରିବାକୁ ଉଦ୍ୟମ କରିଥିଲେ।

ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅପରେସନ୍ ଭେଡିଆ’ ଆରମ୍ଭ କରାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ, ସେମାନେ ଗଧିଆକୁ ଧରିବା ପାଇଁ ୧୬ଟି ଟିମ୍ ନିୟୋଜିତ କରିଥିଲେ। ଏଥିପାଇଁ ଡ୍ରୋନ୍ କ୍ୟାମେରା ଏବଂ ଥର୍ମାଲ୍ ଡ୍ରୋନ୍ ମ୍ୟାପିଂ ମଧ୍ୟ ବ୍ୟବହାର କରାଯାଇଥିଲା। ଗଧିଆକୁ ଟ୍ରାଙ୍କୁଲାଇଜ କରାଯାଇ ପ୍ରାଣୀ ଉଦ୍ୟାନରେ ରଖାଯାଇଛି।

Comments are closed.