ଗ୍ୟାସ୍ ଡିପୋରୁ ସିଲିଣ୍ଡର ଚୋରି ମାମଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜାଳେଣି ଗ୍ୟାସ୍ ଡିପୋରୁ ସିଲିଣ୍ଡର ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ବାରିପଦା ସଦର ଥାନା ପୁଲିସ ଦ୍ଵାରା ଗ୍ୟାଙ୍ଗର ୮ଜଣକୁ ଗିରଫ କରାଯାଇଛି। ସେଥି ମଧ୍ୟରୁ ୫ଜଣ ଚୋର ରହିଥିବା ବେଳେ ଅନ୍ୟ ୩ଜଣ ସେମାନଙ୍କ ନିକଟରୁ ସିଲିଣ୍ଡର କିଣିଥିବା ଲୋକ ରହିଛନ୍ତି। ଚୋର ମାନେ ହେଲେ କୁଳିଅଣା ଥାନା ଅନ୍ତର୍ଗତ ସୌରୀ ଗ୍ରାମର ଶକ୍ତି ପାଣି(୨୮) ଓ ସୌମ୍ୟ ରଞ୍ଜନ ପାଣି(୨୫), ଟିଟ୍ରି ଗ୍ରାମର ଅଜୟ କୁମାର ବେହେରା(୨୨), ବାଲିମୁଣ୍ଡଳି ଗ୍ରାମର ସିପୁ ସିଂ(୨୭) ଓ ଉମାଶଙ୍କର ନାୟକ(୨୫)। ସିଲିଣ୍ଡର କିଣିଥିବା ମାନେ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ତୁଳସୀଚୌରା ଅଞ୍ଚଳର ନିର୍ମଳ ଗୋଛାୟତ(୨୭), ବାଲେଶ୍ଵର ଜିଲ୍ଲାର ଖନ୍ତାପଡାର ରାଜ ନାରାୟଣ ପାଣିଗ୍ରାହୀ(୨୫) ଓ କୁଳିଅଣା ଥାନା ଅନ୍ତର୍ଗତ ପରିଆକୁଳି ଗ୍ରାମର ସନଥୁ ଚୌହାନ(୩୬)। ଏଥି ସହିତ ତାଙ୍କ ନିକଟରୁ ୧୮ଗୋଟି ଗ୍ୟାସ ସିଲିଣ୍ଡର ସମେତ ଏକ ପିକଆପ ଭ୍ୟାନ, ଏକ କାର ଓ ୬ଗୋଟି ମୋବାଇଲ ଫୋନ ଜବତ କରାଯାଇଛି।

ଏନେଇ ବୁଧବାର ବାରିପଦା ସଦର ଥାନାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ବାରିପଦା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ପ୍ରଧାନ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୫ତାରିଖ ବିଳମ୍ବିତ ରାତିରେ ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟାର ଧନପୁର ସ୍ଥିତ ଏଚପି ଗ୍ୟାସ ଗୋଦାମରୁ ୫୬ ଗୋଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିଲା। ଏନେଇ ତହିଁ ପର ଦିନ ସକାଳୁ ଜାଣିବା ପରେ ଲକ୍ଷାଧିକ ଟଙ୍କାର ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ। ଦୁର୍ବୃତ୍ତ ମାନେ ୫୬ଟି ଖାଲି ଗ୍ୟାସ ସିଲିଣ୍ଡର ଚୋରି କରିଥିବା ସେ ଗୁଡ଼ିକର ମୂଲ୍ୟ ୧ଲକ୍ଷ ୨୩ ହଜାର ୨୦୦ଟଙ୍କା ହେବ ବୋଲି ଅଭିଯୋଗରେ ଉଲ୍ଲେଖ କରିଥିଲେ। ହିତାଧିକାରୀ ମାନଙ୍କୁ ରିହାତି ଦରରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ପରେ ଖାଲି ସିଲିଣ୍ଡର ଗୁଡ଼ିକୁ ଫେରସ୍ତ ଅଣାଯାଇ ସେଗୁଡ଼ିକୁ ଗୋଦାମରେ ଗଛିତ ରଖାଯାଇଥିଲା। ଦୁର୍ବୃତ୍ତ ମାନେ ଏନେଇ କୋଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗ୍ୟାସ ଗୋଦାମର ତାଲା ଭାଙ୍ଗି ଖାଲି ସିଲିଣ୍ଡର ଗୁଡ଼ିକୁ ଚୋରି କରି ନେଇଥିବା ସତ୍ଵାଧିକାରୀ
ସାରଦା ମହାନ୍ତ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ବାରିପଦା ସଦର ଥାନାରେ କେସ୍ ନମ୍ବର ୨୭/୨୪ରେ ଏକ ମାମଲା ରୁଜୁ କରି ବାରିପଦା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

ତଦନ୍ତ ପ୍ରକ୍ରିୟା ଜାରି ଥିବା ବେଳେ ଧନପୁର ଅଞ୍ଚଳରେ ଏକ ପିକଅପ ଭ୍ୟାନ ଓ କାରରେ ଗ୍ୟାସ ସିଲିଣ୍ଡର ନେଇ କିଛି ଲୋକେ ଚଳପ୍ରଚଳ କରୁଥିବାର ନେଇ ବାରିପଦା ସଦର ଥାନା ପୁଲିସକୁ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା। ସନ୍ଦେହ କରି ପୁଲିସ ୫ଜଣକୁ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ସତ ସ୍ୱୀକାର କରିଥିଲେ। ଧନପୁର ଗ୍ୟାସ ଗୋଦାମ ସମେତ ଗତ ଫେବ୍ରୁଆରୀ ମାସରେ ବଡ଼ସାହି ଓ ଏପ୍ରିଲ ମାସରେ ବିଶୋଇ ଗ୍ୟାସ ଗୋଦାମରୁ ଗ୍ୟାସ ସିଲିଣ୍ଡରରେ ମଧ୍ୟ ସେମାନେ ସମ୍ପୃକ୍ତ ଥିବାର ନେଇ ମାନିଥିଲେ। ଚୋରି ସିଲିଣ୍ଡରକୁ ଉକ୍ତ ତିନି ଜଣଙ୍କୁ ବିକ୍ରି କରିଥିବାର ନେଇ ମଧ୍ୟ ସ୍ୱୀକାର କରିଛନ୍ତି। ଯାହାକୁ ନେଇ ପୁଲିସ ଚଢ଼ାଉ କରି ଗୋଟିଏ ସ୍ଥାନରୁ ୧୪ ଓ ଅନ୍ୟ ସ୍ଥାନରୁ ୪ଗୋଟି ଗ୍ୟାସ ସିଲିଣ୍ଡର ଜବତ କରିବା ସହ ୩ଜଣ କ୍ରେତାଙ୍କୁ ଗିରଫ କରିଥିଲା। ଉକ୍ତ ଚୋରି ଗ୍ୟାଙ୍ଗଙ୍କ ନାମରେ କୁଳିଅଣା, ବିଶୋଇ, ବଡ଼ସାହି ଆଦି ଥାନାରେ ଗ୍ୟାସ ସିଲିଣ୍ଡର ଚୋରି ନେଇ ପୂର୍ବରୁ ଅଭିଯୋଗ ହୋଇଛି। ତେବେ ଅନ୍ୟ ଗ୍ୟାସ ସିଲିଣ୍ଡର ଗୁଡିକୁ ଜବତ କରିବା ନେଇ ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ନେଇ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.