ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ବବିଙ୍କ ନାଁରେ ଲିଖିତ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେଡି ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବବି ଅନୁମତି ନ ନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି।

ସ୍ବତନ୍ତ୍ର କମିଟି ଗଢ଼ି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗପତ୍ରରେ ସେ ଦାବି କରିଛନ୍ତି। ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି କହିଛନ୍ତି, ଆମେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଏଫଆଇଆର ଦେଇଛୁ। ଆମେ ଏଫଆଇଆରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛୁ ଯେ ସେ କାହିଁକି ନିଜ ସରକାରୀ ଘର ପରିସରରେ ବେଆଇନ ନିର୍ମାଣ କରିଥିଲେ ଏବଂ ସେଠାରେ କ’ଣ ଚାଲିଥିଲା, ତା’ର ତଦନ୍ତ ହେଉ। ସରକାରୀ ଘର ନେବା ପରେ ସେଠାରେ କିଛି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ଅନୁମତି ନେବାକୁ ପଡ଼େ।

କିନ୍ତୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଅନୁମତି ନେଇ ନଥିଲେ। ସେ ତାଙ୍କ ସରକାରୀ ଘରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିଥିଲେ ଓ ତାଙ୍କୁ ଏବେ ଭାଙ୍ଗି ଦେଇଛନ୍ତି।  ସେ ଆହୁରି କହିଛନ୍ତି, ଲୋକେ ଆଲୋଚନା କରୁଛନ୍ତି ଯେ ସେଠାରେ ରଙ୍ଗମହଲ ଚାଲିଥିଲା। ସେଠାରେ ଖଣି ଓ ଅନ୍ୟାନ୍ୟ ବ୍ୟବସାୟର କଳାଧନ ନିବେଶ ହୋଇଥିଲା। ଏ ସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରିଛୁ।

Leave A Reply

Your email address will not be published.