ଆଗେଇବ ପ୍ରମାଣଭିତ୍ତିକ ଗବେଷଣା, ଓଡ଼ିଶା ସରକାର ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୀତିଗତ ନିଷ୍ପତ୍ତି ନିମନ୍ତେ ତଥ୍ୟର ଉପଯୋଗ ଏବଂ ଏହି ଆଧାରରେ ପ୍ରମାଣଭିତ୍ତିକ ଗବେଷଣାକୁ ଆଗେଇ ନେବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଭାଗ ଏବଂ ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ଥାନୀୟ ଓକାକ୍ ଟାୱାରଠାରେ ସ୍ୱାକ୍ଷରିତ ହୋଇଥିଲା ।
ନୀତିଗତ ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିବା ସହ ଅଭିନବୀକରଣକୁ ଆଗେଇ ନେବା ନିମନ୍ତେ ତଥ୍ୟର ବ୍ୟବହାର ପାଇଁ ଓଡ଼ିଶା ସରକାର ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ (ୟୁସିଟି) ସହ ପାଞ୍ଚ ବର୍ଷିଆ ମହତ୍ତ୍ୱପୂର୍ଣ୍ଣ ସହଭାଗିତା ଆରମ୍ଭ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱରରେ ଏକ ଡାଟା, ପଲିସି ଆଣ୍ଡ ଇନୋଭେସନ ସେଣ୍ଟର (ଡିପିଆଇସି) ପାଇଁ ଅନୁଦାନ ଚୁକ୍ତିନାମା ସମ୍ପର୍କରେ ଘୋଷଣା କରାଯାଇଛି। ଶକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ଏବଂ ପରିମଳ କ୍ଷେତ୍ରରେ ପ୍ରମାଣ ଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପ୍ରତି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡିକରେ ତଥ୍ୟଭତ୍ତିକ ସୁଶାସନକୁ ସକ୍ଷମ କରିବା ପାଇଁ ଏକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଡାଟା ଇଣ୍ଟରଫେସ୍ ବିକଶିତ କରିବାକୁ ଚଳିତ ବର୍ଷ ଜାନୁଆରି ମାସରେ ଉଭୟ ପକ୍ଷ ମଧ୍ୟରେ ଡିପିଆଇସି ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।
ଆଜି ଏହି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୫-ଟି ଉପକ୍ରମରେ ବୈଷୟିକ ଜ୍ଞାନକୌଶଳର ବହୁଳ ଉପଯୋଗକୁ ଗୁରୁତ୍ୱ ଦେଇଆସୁଥିବା ବେଳେ ଏହି ବୁଝାମଣା ରାଜ୍ୟ ଶାସନ ବ୍ୟବସ୍ଥାକୁ ଅଧିକ ପ୍ରଶସ୍ଥ ଓ ସ୍ୱଚ୍ଛ କରିବ । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ ଏବଂ ଡିପିଆଇସି ପ୍ରତିଷ୍ଠା ଏହାର ପ୍ରମାଣ । ସାରା ବିଶ୍ୱର ବିଦ୍ୱାନ ଓ ଗବେଷକମାନେ ଓଡ଼ିଶାରେ ଗବେଷଣା କରି ସେମାନଙ୍କ ଅନୁସନ୍ଧାନକୁ ସମଗ୍ର ବିଶ୍ୱରେ ପହଞ୍ଚାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ତଥ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ ରାଜ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ହେବ ବୋଲି ସେ କହିଥିଲେ।
ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନ କହିଛନ୍ତି ଯେ ଅଭିନବ ଚିନ୍ତାଧାରାର ପରୀକ୍ଷଣ ପାଇଁ ତଥ୍ୟ ବ୍ୟବହାର କରିବାରେ ଓଡ଼ିଶା ସବୁବେଳେ ଆଗରେ ରହିଆସିଛି । ୫ ବର୍ଷ ପୂର୍ବେ ଆମେ ଓଡ଼ିଶା ସରକାରଙ୍କ ସହ ମିଶି ଶିଳ୍ପସମୂହ ପାଇଁ ଏକ ତଥ୍ୟ ଭିତ୍ତିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ତେଣୁ ଏହା ଏକ ପ୍ରକାରରେ ଆମ ପାଇଁ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ । ତଥ୍ୟ ଓ ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣକୁ ଆହୁରି ଆଗକୁ ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଉତ୍ସାହିତ ବୋଲି ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନ୍ ମତବ୍ୟକ୍ତ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ ଏବଂ ମେସିନ୍ ଲର୍ଣ୍ଣିଂରେ ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ଏବଂ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରି ଏକ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବା ହେଉଛି ଡିପିଆଇସିର ଲକ୍ଷ୍ୟ । ଡିପିଆଇସିକୁ କାର୍ଯ୍ୟକ୍ଷମ କରିବାରେ ୟୁନିଭର୍ସିଟି ଅଫ୍ ଚିକାଗୋର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ଏବଂ ଏହାର ଅନ୍ୟାନ୍ୟ ଗବେଷଣା କେନ୍ଦ୍ର ସରକାରଙ୍କୁ ସହଯୋଗ କରୁଛନ୍ତି । ଏହି ସହଭାଗିତା ଏକ ବିସ୍ତୃତ ତ୍ରିମୁଖୀ ଆଭିମୁଖ୍ୟ ଗ୍ରହଣ କରିବ ଯାହା କେବଳ ଗବେଷଣା ଉପରେ ଧ୍ୟାନ ଦେବ ନାହିଁ ବରଂ ତ୍ୱରିତ ନିଷ୍ପତ୍ତି ଗ୍ରହଣ ପାଇଁ ତଥ୍ୟର ବହୁଳ ଉପଯୋଗ ଏବଂ ରାଜ୍ୟ ସରକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦେବ ।
ରାଜ୍ୟରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଫଳପ୍ରଦତା ବିଷୟରେ ଚିକାଗୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ସେମାନଙ୍କ ଅନୁଶୀଳନ ସମ୍ପର୍କିତ ତଥ୍ୟ ପ୍ରଦାନ କରି ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦେବେ । ଏତଦ ବ୍ୟତୀତ ରାଜ୍ୟ ସରକାରଙ୍କୁ ସହାୟତା ଦେବା ଲାଗି ଗବେଷକମାନେ ବୃହତ ସ୍ତରରେ ଅଭିନବ ଗବେଷଣା କ୍ଷେତ୍ରର ପ୍ରତିଷ୍ଠା ଏବଂ ତାହାର ଆକଳନ ମଧ୍ୟ କରିବେ । ଓଡ଼ିଶାରେ ହୋଇଥିବା ଗବେଷଣାରୁ ମିଳିଥିବା ଜ୍ଞାନକୁ ଏହି ଟିମ୍ କେବଳ ରାଜ୍ୟ ଭିତରେ ନୁହେଁ ବରଂ ଭାରତର ଅନ୍ୟାନ୍ୟ ସ୍ଥାନରେ ବି ଉପଯୋଗ କରିବେ । ଏହି ଅବସରରେ ଆଇଟି ଅତିରିକ୍ତ ସଚିବ ତଥା ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ତଥା ଓକାକ୍ ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡାଙ୍କ ସମେତ ଚିକାଗୋ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।