ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ରୋଗୀ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ ଦୁଇ ଜଣ କୋରୋନାର ନୂଆ ଭାରିଆଣ୍ଟ ଜେଏନ1 ସଂକ୍ରମିତ ହୋଇଥିବା ଜଣାପଡିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ବର । ଦୁହେଁ କେରଳରୁ ଫେରିଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
ସୂଚନା ଅନୁସାରେ, ରାଜ୍ୟରେ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କର ଜିନୋମ ସିକ୍ୟୁଏନ୍ସ ପାଇଁ ପଠାଯାଇଥିଲା । ସେଥିରୁ ଦୁଇ ଜଣ ଜେଏନ1 ପଜିଟିଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ କୋଭିଡ ଆକ୍ଟିଭ କେସ 25 ରହିଥିବା ବେଳେ ଦୁଇ ଜଣ ଜେଏନ 1 ସଂକ୍ରମିତ ହୋଇଛନ୍ତି । ତେବେ ଦୁଇ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଜେଏନ1 ସଂକ୍ରମିତ ବୋଲି ଜଣାପଡିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏବେ ଚିହ୍ନଟ ହେଉଥିବା ସଂକ୍ରମିତ ସେତେଟା ଗୁରୁତର ହେଉନାହାନ୍ତି । ତେବେ ଲୋକମାନେ ସତର୍କ ରୁହନ୍ତୁ । ଯଦି ଲକ୍ଷଣ ଦେଖାଯାଉଛି ପରୀକ୍ଷା କରାଇ ନେବା ସହ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।