ସୁବର୍ଣ୍ଣରେଖା ନଦୀଜଳ ପ୍ରବାହରେ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରି ଅବରୋଧ ସୃଷ୍ଟି କରୁଛି,କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଲେ ଏନଜିଟି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସୁବର୍ଣ୍ଣରେଖା ନଦୀଜଳ ପ୍ରବାହରେ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରି ଅବରୋଧ ସୃଷ୍ଟି କରୁଥିବା ଅଭିଯୋଗ ଉପରେ ଏନଜିଟିରେ ଆଗତ ମାମଲାର ଶୁଣାଣି କରି ଏ ସମ୍ପର୍କରେ ଏକ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେବା ସହିତ କମିଟି ରିପୋର୍ଟ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୦ ଦିନ ମଧ୍ୟରେ ଏନଜିଟିଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିରାମ ବାସ୍କେଙ୍କ ପକ୍ଷରୁ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିକଟରେ ଦାଖଲ ପିଟିସନରେ ଦର୍ଶାଯାଇଛି ଯେ, ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀଶଯ୍ୟା ନିକଟରେ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରି ଓ କୋଇଲା ଡିପୋ ରହିଛି। ଏହି ପ୍ଲାଷ୍ଟିକ ଫ୍ୟାକ୍ଟ୍ରି ସୁବର୍ଣ୍ଣରେଖା ନଦୀଶଯ୍ୟାରେ ପ୍ରାଚୀର ନିର୍ମାଣ କରିଛି।

ଫଳରେ ସୁବର୍ଣ୍ଣରେଖା ଜଳ ପ୍ରବାହରେ ସମସ୍ୟା ସୃଷ୍ଟି ହେବା ସାଙ୍ଗକୁ ପରିବେଶ ଉପରେ ପ୍ରଭାବ ପକାଉଛି। ଜାତୀୟ ଗ୍ରୀନ ଟ୍ରିବୁନାଲ ପୂର୍ବାଂଚଳ ଜୋନର ମାନ୍ୟବର ଜଷ୍ଟିସ ବି ଅମିତ ସ୍ଥାଲେକର ଓ ମାନ୍ୟବର ଏକ୍ସପର୍ଟ ସଦସ୍ୟ ଡ଼କ୍ଟର ଅରୁଣ କୁମାର ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ସୁବର୍ଣ୍ଣରେଖା ଅବବାହିକାର ସ୍ଥିତି ଅନୁଧ୍ୟାନ କରିବାକୁ ବାଲେଶ୍ଵର ଜିଲ୍ଲାପାଳଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ବରିଷ୍ଠ ବୈଜ୍ଞାନିକ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ବରିଷ୍ଠ ବୈଜ୍ଞାନିକ, ଷ୍ଟେଟ ଏନଭାର୍ଣ୍ଣମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି ବରିଷ୍ଠ ବୈଜ୍ଞାନିକ ସଦସ୍ୟ ରହିବେ। ଏହି ଟିମ ଅଞ୍ଚଳ ଗସ୍ତ କରିବା ପରେ କେତେ ପରିମାଣର ପରିବେଶ କ୍ଷତି ହୋଇଛି ସେ ସମ୍ପର୍କରେ ଆକଳନ କରିବେ। ତଦନୁଯାୟୀ ସଂପୃକ୍ତ କମ୍ପାନୀ ଉପରେ ଏହି ଟିମ କ୍ଷତି ଭରଣା ନିର୍ଦ୍ଦେଶ ଦେବାକୁ ଏନଜିଟି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ସେପ୍ଟେମ୍ବର ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରତୀକ ଦାଶ ମକଦ୍ଦମା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.