ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଗତକାଲି ସମ୍ବଲପୁରଠାରେ ହନୁମାନ ଜୟନ୍ତୀ ଶୋଭଯାତ୍ରାରେ ଘଟିଥିବା ଆଇନଶୃଙ୍ଖଳା ପରିସ୍ଥିତି ଓ ପ୍ରଶାସନିକ ଅବ୍ୟବସ୍ଥା ଘଟଣାରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରିଛନ୍ତି ।ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଧାୟକ ଡ. ମୁକେଶ ମହାଲିଙ୍ଗ, ସୁବାସ ପାଣିଗ୍ରାହୀ, ନାଉରୀ ନାଏକ ଓ ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ଘଟଣା ସ୍ଥଳର ସ୍ଥିତି ଅନୁଧ୍ୟାନ କରିବେ । ଆଜି ପୂର୍ବାହ୍ନରେ ପ୍ରଥମେ ଡାକ୍ତରଖାନାକୁ ଯାଇ ଆହତ ବ୍ୟକ୍ତିଙ୍କୁ ଭେଟିବେ । ପରେ ପରେ ବିଭିନ୍ନ ସଂଗଠନ, ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଭେଟି ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବେ ।
ହନୁମାନ ଜୟନ୍ତୀ ବାଇକ୍ ରାଲି ଗଣ୍ଡଗୋଳ ପରେ ସମ୍ବଲପୁରକୁ ଫେରୁଛି ସ୍ୱାଭାବିକ ସ୍ଥିତି । ସଦର ଅଞ୍ଚଳରେ ବଳବତ୍ତର ରହିଛି ୧୪୪ ଧାରା । ପୋଲିସ ଛାଉଣୀରେ ରହିଛି ସମ୍ବଲପୁର । ୧୪୪ ଧାରା ସତ୍ତ୍ୱେ ଆଜି ଶାନ୍ତିଶୃଙ୍ଖଳାରେ ବାହାରିବ ହନୁମାନ ଜୟନ୍ତୀ ଶୋଭାଯାତ୍ରା ।
ଗତକାଲି ଶାନ୍ତି କମିଟି ବୈଠକରେ ସହରର ମୁରବୀ ଶ୍ରେଣୀ ଲୋକଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସହରରେ ଅଧିକ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ହ୍ଵାଟ୍ସଆପ୍, ଟୁଇଟର୍, ଫେସବୁକ, ଇନଷ୍ଟାଗ୍ରାମ୍ ବନ୍ଦ ରହିଛି । ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବି ବନ୍ଦ ।
ଆଜି ଶୋଭାଯାତ୍ରା ପାଇଁ ୧୪୪ ଧାରାକୁ ସାମାନ୍ୟ କୋହଳ କରାଯାଇପାରେ । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୁତୟନ ରହିଛନ୍ତି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ଯିବା ବେଳେ ବୁଧବାର ସନ୍ଧ୍ୟାରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଲୋକଙ୍କ ପଥରମାଡରେ ୧୦ ପୁଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର, ବାଇକ୍ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ୪୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସମ୍ବଲପୁରର ପରିସ୍ଥିତି ଉପରେ ସତର୍କ ନଜର ରଖିଛି ପୋଲିସ । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ଏପଟେ ଜୟପୁରରେ ଆଜିଠାରୁ ୧୪୪ ଧାରା ଜାରି କରିଛନ୍ତି ଜୟପୁର ଉପ-ଜିଲ୍ଲାପାଳ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ସକାଳ ୯ଟା ଯାଏଁ ୧୪୪ ଧାରା ଜାରି ରହିବ । ଏହି ସମୟରେ ୨ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।