ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ, ଓଡ଼ିଶା ଶ୍ରୀ ସୁଶାନ୍ତ ସିଂ ମୁଖ୍ୟଅତିଥ ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ ।
ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରୁଅଛି ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧୂ ୩୫ ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧ୍ଵନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଅଛି । ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କୁ ଶିକ୍ଷାବୃତି, ବିବାହ, ପ୍ରସୂତି, ମୃତ୍ୟୁ, ଅତ୍ୟେଷ୍ଟିକ୍ରିୟା ସକାଶେ ଆର୍ଥିକ ସହାୟତା ପ୍ରଦାନ କରାଯାଉଅଛି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି ‘କଲ୍ୟାଣ ବୋର୍ଡ଼ ମାଧ୍ୟମରେ ‘ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା’, ‘ନିର୍ମାଣ ଶ୍ରମିକ ପେନସନ୍ ଯୋଜନା’, ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ନିମନ୍ତେ ‘ ନିର୍ମାଣ କୁସୁମ ଯୋଜନା’ କାର୍ଯ୍ୟକାରୀ କରାଯାଉଅଛି । ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ‘ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼’ ଗଠନ କରାଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଅଛି
ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ଗୋଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଯଥା – ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୪୭୭ ଗୋଟି ପଂଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ କାର୍ଯ୍ୟକାରୀ ହେଉଅଛି ।
ରାଜ୍ୟ ସରକାରଙ୍କ ୫ଟି ଉପକ୍ରମରେ PAReSHRAM portal କାର୍ଯ୍ୟକାରୀ କରାଯାଇ ୫୨ଗୋଟି ବିଭିନ୍ନ ସେବା ଅନ୍ଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଅଛି, ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ଵଚ୍ଛତାର ସହ ସେବା ଯୋଗାଇ ପାରିଛି । ଅଦ୍ୟାବଧୂ, ଏହି ପୋର୍ଟାଲ ମାଧ୍ୟମରେ ୧୬,୫୦୦ରୁ ଉର୍ଦ୍ଧ୍ବ ସେବା ପ୍ରଦାନ କରାଯାଇଅଛି ।
ଆଜିର ଏହି ସମାରୋହରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍ଲାଇନ୍ ପୋର୍ଟାଲ (https:\\nirmanshramik.odisha.gov.in) କୁ ଲୋକାର୍ପଣ କରି କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ (www.labourdirectorate.odisha.gov.in) ଏବଂ କାରଖାନା ଓ ବାଞ୍ଚିତ୍ର ନିର୍ଦ୍ଦେଶାଳୟ (www.dfb.odisha.gov.in) ର ଦୁଇଗୋଟି ୱେବ୍ସାଇଟ୍ କୁ ମଧ୍ୟ ଲୋକାର୍ପଣ କରିଥିଲେ । ତତ୍ସହିତ ‘ଶ୍ରମ କଲ୍ୟାଣ’ ନାମକ ଏକ ବୁଲେଟିନ୍ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଶ୍ରମିକ ଭାଇଭଉଣୀମାନଙ୍କୁ ବିଭାଗ ତରଫରୁ ମୁଖ୍ୟଅତିଥୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ଭାରତବର୍ଷରେ ଆଜି ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।
ଏହି ସମାରୋହରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ କହିଥିଲେ ଯେ ରାଜ୍ୟ ସରକାର ଶ୍ରମିକମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଅଙ୍ଗୀକାରବଦ୍ଧ ଓ ସର୍ବଦା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖୁଛନ୍ତି ।
ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ଅହରହ କାର୍ଯ୍ୟ କରୁଥିବା ପ୍ରମୁଖ ଶ୍ରମିକ ସଂଗଠନର ୪ଜଣ ଶ୍ରମିକ ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ – ୨୦୨୨’ରେ ସମ୍ମାନିତ କରାଯାଇଥିଲା।
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍, ଆଇ.ଏ.ଏସ୍. ସ୍ଵାଗତ ଭାଷଣ ଦେଇଥିଲାବେଳେ ଶ୍ରମ ଆୟୁକ୍ତ ଡ. ଏନ୍. ଥରୁମାଲା ନାଏକ, ଆଇ.ଏ.ଏସ୍. ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ ପଦାଧୂକାରୀ, ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଏବଂ ବହୁ ଶ୍ରମିକ ଭାଇଭଉଣୀମାନେ ଯୋଗ ଦେଇଥିଲେ।