ଓଡିଆ ନ୍ୟୁଜ୍ (ବ୍ୟୁରୋ): ଆଜି ନବୀନ ନିବାସ ସାମ୍ନାରେ ହାଇଡ୍ରାମା ଦେଖିବାକୁ ମିଳିଛି । ନ୍ୟାୟ ପାଇବା ପାଇଁ ଲଢେଇ କରୁଥିବା ଏକ ପରିବାର ଆଜି ସକାଳେ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୁଅର ହତ୍ୟାକାରୀକୁ ପୁଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି ।
ସୂଚନା ଅନୁସାରେ, ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦୈତ୍ୟରାଜ୍ ନାୟକ ନାମକ ଯୁବକ ହତ୍ୟାର ଶିକାର ହୋଇଥିଲେ। ଏହି ହତ୍ୟାକାଣ୍ଡରେ ପୁଲିସ ଗତ ୧୫ ତାରିଖରେ ଅଶୋକ ଜେନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ପୂର୍ବରୁ ମାମଲାରେ କାହାରିକୁ ଗିରଫ କରୁ ନଥିଲା ପୁଲିସ ।
ତେବେ ବାରମ୍ବାର ପରିବାର ଲୋକଙ୍କ ଧାରଣା ପରେ ଅଭିଯୁକ୍ତ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମାତ୍ର ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଏବେ ବି ଗିରଫ କରୁ ନ ଥିବା ବେଳେ ସେମାନେ ଏବେବି ବାହାରେ ବୁଲୁଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ତେଣୁ ତୁରନ୍ତ ସେମାନଙ୍କ ଗିରଫଦାରୀ ନିମନ୍ତେ ଦାବି କରି ପରିବାର ସଦସ୍ୟ ଆଜି ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୁଲିସ୍ ସମସ୍ତଙ୍କୁ ଉଠାଇ ଥାନାକୁ ନେଇଥିବା ଜଣାଯାଇଛି।