କଟକ ଖାନ ନଗରରେ ଭୁଶୁଡ଼ି ପଡ଼ିଛି ତୋରଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ସୁଉଚ୍ଚ ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ କାର୍ ଓ ତିନୋଟି ବାଇକ୍ ଚାପି ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ,  ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି।

ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଜେସିବି ସାହାଯ୍ୟରେ ସୁଉଚ୍ଚ ତୋରଣଟି ଉଠାଇବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ତୋରଣଟି କିପରି ଭୁଶୁଡ଼ିଲା ତାର କାରଣ ଜଣାପଡ଼ିନାହିଁ। ତୋରଣରେ ନିର୍ମାଣ ବେଳେ କିଛି ତ୍ରୁଟି ଥିଲା କି ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।  ତେବେ ଚଳିତ ବର୍ଷ ଖାନନଗର ଦୁର୍ଗାପୂଜା କମିଟି ପକ୍ଷରୁ ଏକ ୩୦ ଫୁଟ ଉଚ୍ଚର ଇଲେକଟ୍ରିକ୍ ତୋରଣ ନେତାଜୀ ବସ୍ ଟର୍ମିନାଲ ପାଖ ରାସ୍ତାରେ ପ୍ରସ୍ତୁତ କରାଯାଇଥିଲା ।

ତେବେ ପୂଜା ସରିବା ପରେ ଏହା ଖୋଲା ଯାଇନଥିଲା । ଆଜି କୌଣସି କାରଣ ବଶତଃ ଏହା ଭୁଶୁଡି ପଡିଛି । ତେବେ କେଉଁ କାରଣରୁ ଏଭଳି ଘଟିଲା ତାହାର କୌଣସି ସୂଚନା ମିଳିନାହିଁ । ଏକ ଭାରି ଯାନ ଏହାକୁ ଧକ୍କା ଦେବାରୁ ଏଭଳି ଘଟିଲା ବୋଲି ସଫେଇ ଦେଇଛନ୍ତି ପୂଜା କମିଟି ସଦସ୍ୟ । ଏହି ଅଘଟଣ ଘଟିବା ପରେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। କିଛି ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାଯାଇଛି।

 

Comments are closed.