ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଶ୍ରୀକ୍ଷେତ୍ର ସାହିଯାତରେ ରାମ-ରାବଣ ଯୁଧ୍ୟରେ ପ୍ରକମ୍ପିତ ହେଲା ଧରିତ୍ରୀ। ଶେଷରେ ରାମଙ୍କ ଶରରେ ରାବଣ ହତହେବା ସହ ରାଵଣକୁ ମିଳିଛି ସ୍ୱର୍ଗପ୍ରାପ୍ତିର ମାର୍ଗ ।ସାଙ୍ଗ,ଭାଙ୍ଗ,ପଙ୍ଗତ, ସଂସ୍କୃତି,ପରମ୍ପରା ଓ ସାହିଯାତର ସହର ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ରର ସବୁଠୁ ନିଆରା ପରମ୍ପରା ସାହିଯାତ ।ସାତ ସାହି ବୟାଳିଶି କନ୍ଦିର ସହର ଶ୍ରୀକ୍ଷେତ୍ରରେ ରାମନବମୀ ଠାରୁ ଆରମ୍ଭ ହୋଇ ଜାରୀ ରହିଛି ସାହିଯାତ।ରାମାବତାର ଲୀଳାର ଅଂଶବିଶେଷ ଏହି ସାହିଯାତରେ ଦେଖିବାକୁ ମିଳୁଛି ସମରକଳା, ଲୋକକଳା, ପରମ୍ପରାର ନିଦର୍ଶନ ।ଅନ୍ୟପଟରେ ଶ୍ରୀମନ୍ଦିର ସହିତ ରହିଛି ସାହିଯାତର ଅନନ୍ୟ ସମ୍ପର୍କ । ମେଢ଼ ନୃତ୍ୟ ବାଦ୍ୟ ବାଜା ସାଙ୍ଗକୁ ବିଭିନ୍ନ ପୌରାଣିକ ଚରିତ୍ରର ନୃତ୍ୟ ଓ ରାହା ସାଙ୍ଗକୁ ସଂଳାପ ଦେଖାନାହାରୀଙ୍କ ମନ ମୋହୁଛି ।
ରାମନବମୀ ଠାରୁ ବୈଶାଖ କୃଷ୍ଣ ଦ୍ଵିତୀୟା ପର୍ଯ୍ୟନ୍ତ ଚାଲୁଥିବା ଏହି ସାହିଯାତରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡ଼ି ହନୁମାନ ଲୀଳା ଓ ରାବଣ ବଧ ନୀତି ଦେଖଣାହାରୀଙ୍କ ମନ ମୋହିଛି । ସାଂସ୍କୃତିକ ମହାକୁମ୍ଭ ତଥା ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ଏବଂ ମହାପ୍ରଭୁଙ୍କ ଶ୍ରୀରାମ ଲୀଳାର ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ସାହିଯାତ । ଏହି ସାହିଯାତରେ ବାଲିସାହି ପକ୍ଷରୁ ଏହି ରାବଣ ବଧ ନୀତି ଅନୁଷ୍ଠିତ ହୋଇଛି। ହିଞ୍ଜଳ ଯାଗା ପକ୍ଷରୁ ବଳଭଦ୍ର ମହାସୁଆର ସକାଳେ ରାବଣ ବନ୍ଧାଇ ସାହି ଭ୍ରମଣ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣିଥିଲେ।ରାତିରେ ମନମୋହନ ମହାସୁଆର ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ।
ରାବଣଙ୍କ ସହ ରାକ୍ଷସ ସେନା ହରଚଣ୍ଡୀ ସାହି ଭ୍ରମଣ ପରେ ଗୌଡ଼ବାଡ ସାହିସ୍ଥିତ ଯମେଶ୍ୱରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ରାବଣ ଯଜ୍ଞ କରିଥିଲେ। ଶ୍ରୀମନ୍ଦିର ଭଗବତୀ କୋଟରେ ସ୍ୱର୍ଗକୁ ନିଶୁଣି ଓ ଶକ୍ତି ପ୍ରାପ୍ତ ହୋଇଥିଲେ। ସେପଟେ ଶ୍ରୀମନ୍ଦିରରୁ ଶ୍ରୀରାମଲକ୍ଷ୍ମଣ ପଟୁଆରରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇଥିଲେ। ସେଠାରେ ଶ୍ରୀରାମଙ୍କ ସହିତ ଯୁଦ୍ଧରେ ରାବଣ ବଧ ହୋଇଥିଲା।