ଓଡ଼ିଆ ନ୍ୟୁଜ୍: ବାଇକ୍ ଉପରେ ମାଡ଼ିଗଲା ହାଇୱା; ବାପ ଝିଅ ମୃତ। କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା। ଦୁର୍ଘଟଣା ପରେ ଉତ୍ତେଜନା, ଘଟଣାସ୍ଥଳରେ କୁଜଙ୍ଗ ପୋଲିସ। କଟକ ପାରାଦୀପ ରାଜ୍ୟରାଜପଥର କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ବାପା ଓ ଝିଅଙ୍କ ଉପରେ ଦ୍ରୁତଗାମୀ ହାଇୱା ଚଢ଼ି ଯାଇଛି। ଏଥିରେ ଉଭୟ ବାପା ଓ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜକିଶୋର ବିଶ୍ବାଳ ଓ ତାଙ୍କ ଝିଅ ଲୋରୀ ବିଶ୍ବାଳ (୯)। ଏହି ଦୁର୍ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକେ କଟକ-ପାରାଦୀପ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
କୁଜଙ୍ଗ ଥାନା ଷଣ୍ଢପୁର ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ବିଶ୍ବାଳଙ୍କ ପୁତ୍ର ରାଜକିଶୋର ବିଶ୍ବାଳ ଆଜି ଅପରାହ୍ଣରେ ସ୍କୁଲ ଛୁଟି ହେଲା ପରେ ତାଙ୍କର ଝିଅ ଲୋରୀ ବିଶ୍ବାଳ(୯)ଙ୍କୁ ପାରାଦୀପ ରିଫାଇନାରୀସ୍ଥିତ ଡିପିଏସ୍ ବିଦ୍ୟାଳୟରୁ ନିଜ ବାଇକ ଯୋଗେ ଘରକୁ ଆଣି ଆସୁଥିଲେl ଆଉ ମାତ୍ର ୧୦୦ ମିଟର ପରେ ନିଜ ଘରକୁ ବାପ ଓ ଝିଅ ପହଞ୍ଚି ଥାନ୍ତେ। କିନ୍ତୁ କୋଠିଆସାହି ଛକଠାରେ କଟକରୁ-ପାରାଦୀପ ଆଡକୁ ଆସୁଥିବା ଏକ ବଜୁରୀ ବୋଝେଇ ହାଇଓ୍ବା (ଓଡି ୦୯ ୭୨୫୫) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାପ ଓ ଝିଅ ଛିଟିକି ଗାଡ଼ି ଚକା ତଳେ ପଡ଼ି ଯାଇଥିଲେl ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲାl