ଜନ୍ମଦେୀରେ ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରାରେ ଯାଇ ଶ୍ରୀଜିଉ ବଡ଼ଦାଣ୍ଡରେ ଲୀଳା ଲଗାଇବା ପରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି । ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ । ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ । ଏଥିପାଇଁ କାହିଁ କେତେ ଦୂରକୁ ଭକ୍ତ ଛୁଟି ଆସିଛନ୍ତି ପୁରୀ । ସକାଳ ୬.୪୦ରେ ଦ୍ଵାରଫିଟା, ଭିତରଶୋଧ ଓ ମଙ୍ଗଳଆଳତି ପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ କରିଛି ବ୍ୟାରିକେଡ୍ ବ୍ୟବସ୍ଥା । ତାଳଧ୍ୱଜ ରଥ ପାଖ ଦେଇ ଜିକଯାକ୍ ବ୍ୟାରିକେଡ୍ ମଧ୍ୟରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଖରା ଓ ଗୁଳୁଗୁଳିକୁ ଖାତିର ନକରି ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଛି । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମନେ କରୁଛି ।
ସେପଟେ ଆଜିଠୁ ବାହାରିଛି ଆଡ଼ପ ଅବଢ଼ା । ମହାପ୍ରଭୁଙ୍କ ଦର୍ଶନ ସହ ଆଡ଼ପ ଅବଢ଼ା ପାଇ ଭକ୍ତ ବେଶ ଆନନ୍ଦିତ । ୬ ଦିନ ମିଳିବ ଆଡ଼ପ ଅବଢ଼ା । ଦୁଇ ବର୍ଷ ପରେ ଆଡ଼ପ ଦର୍ଶନ ସୁଯୋଗ ମିଳିଥିବାରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।
ଆସନ୍ତା ୫ ତାରିଖରେ ହେରାପଞ୍ଚମୀ ନୀତି ହେବ । ୬ ତାରିଖରେ ବାହୁଡା ଯାତ୍ରା ପାଇଁ ତିନି ରଥର ହେବ ଦକ୍ଷିଣ ମୋଡ଼ । ୮ ତାରିଖରେ ସନ୍ଧ୍ୟା ଦର୍ଶନ ଓ ୯ ତାରିଖରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ଠାକୁର । ତାପରେ ରଥ ଉପରେ ହେବ ଶ୍ରୀଜିଉଙ୍କର ସୁନାବେଶ, ଅଧରପଣା ନୀତି । ୧୨ ତାରିଖରେ ନୀଳକନ୍ଦର ଫେରିବେ ନୀଳମଣି ।