ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚଳିତ କ୍ରିକେଟ୍ ବିଶ୍ୱକପରେ ପୁଣି ବିପର୍ଯ୍ୟୟ । ତୃତୀୟ ବିଶ୍ୱକପ୍ ଖେଳୁଥିବା ଆଫଗାନିସ୍ତାନ ପୂର୍ବତନ ଚାମ୍ପିଅନ ଶ୍ରୀଲଙ୍କାକୁ ୭ ୱିକେଟ୍ ରେ ହରାଇ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି । ଏ ଯାଏ ବିଶ୍ୱକପରେ ସାମିଲ ୧୦ଟି ଯାକ ଦଳ ୬ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ଏଭଳି ସ୍ଥିତିରେ ଡିଫେଡିଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ପୂର୍ବ ଚାମ୍ପିଆନ୍ ପାକିସ୍ତାନ ଓ ଶ୍ରୀଲଙ୍କାକୁ ପରାସ୍ତ କରି ବଡ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏଥିସହ ୬ଟି ମ୍ୟାଚରୁ ୬ ପଏଂଟ ସହ ଆଫଗାନିସ୍ତାନ ତାଲିକାର ଷଷ୍ଠ ସ୍ଥାନରେ ରହିଛି ।
ବାକି ୩ଟି ଯାକ ମ୍ୟାଚ୍ ଜିତିଲେ ହଶମତୁଲ୍ଲା ବାହିନୀ ସେମିଫାଇନାଲରେ ଏଂଟ୍ରି ମାରିବାର ସମ୍ଭାବନା ରହିଛି । ଏକ ଅପେକ୍ଷାକୃତ ନୂଆ ଦଳ ପାଇଁ ଏହା ବଡ ସଫଳତା । ସୋମବାର ପୁଣେ ସ୍ଥିତ ଏମସିଏ ଷ୍ଟାଡିୟମ ଠାରେ ଖେଳା ଯାଇଥିବା ଚଳିତ ବିଶ୍ୱକପର ୩୦ତମ ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଇଥିଲା । ବ୍ୟାଟିଂ ପାଇଁ ପିଚ୍ ସେତେ କଷ୍ଟସାଧ୍ୟ ନହୋଇଥିଲେ ବି ଆଫଗାନି ଦଳ ଶ୍ରୀଲଙ୍କାକୁ ୨୪୨ ରନରେ ସିମିତ ରଖିଥିଲା । ଫଜଲହକ୍ ଫାରୁକୀ ଓ ମୁଜୀବ-ଉର୍-ରହମାନଙ୍କ ଘାତକ ବୋଲିଂ ଶ୍ରୀଲଙ୍କାକୁ ଅଡୁଆରେ ପକାଇଥିଲା । ଦ୍ୱିତୀୟ ପାଳିରେ ଆଫଗାନିସ୍ତାନ ପ୍ରଥମ ଓଭରରେ ଦୁର୍ଦ୍ଦର୍ଷ ଓପନର ଗୁରବାଜଙ୍କ ୱିକେଟ୍ ହରାଇଥିଲେ ହେଁ ଅନ୍ୟ ବ୍ୟାଟ୍ସମାନେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । ଫଳରେ ୨୮ଟି ବଳ ବାକି ଥାଇ ଦଳ ବିଜୟୀ ହୋଇଥିଲା ।
ଅଜମତୁଲ୍ଲା ଓମରଜାଇ ୬୩ଟି ବଲରୁ ଅପରାଜିତ ୭୩, ଉହମତ ଶାହ ୭୪ଟି ବଲରୁ ୬୨, ଅଧିନାୟକ ହଶମତୁଲ୍ଲା ଶାହିଦୀ ୭୪ଟି ବଲରୁ ଅପରାଜିତ ୫୮ ଓ ଇବ୍ରାହିମ ଜାରଦାନ ୩୯ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲ୍ ଶାନ ମଧ୍ୁଶଙ୍କା ୨ଟି ଓ କସୁନ ରଜିଥା ଗୋଟିଏ ୱିକେଟ୍ ନେଇଥିଲେ । ଫଳରେ ଆଫଗାନିସ୍ତାନ ୪୫ ଓଭର ଓ ୨ଟି ବଲରେ ୨୪୨ ରନ କରି ଜିତି ଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲା । ୮୪ରନରେ ଶ୍ରୀଲଙ୍କାର ୨ଟି ୱିକେଟ୍ ପଡିଥିବା ବେଳେ ୧୮୫ ରନରେ ୭ଟି ୱିକେଟ୍ ପତନ ହୋଇଥିଲା । ଫାରୁକୀ ଓ ମୁଜୀବଙ୍କ ଘାତକ ବୋଲିଂ ଶ୍ରୀଲଙ୍କାକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲା । ପାଥୁମ୍ ନିଶଙ୍କା ୬୦ବଲ୍ ରୁ ୪୬, କୁସଲ ମେଣ୍ଡିସ ୫୦ବଲରୁ ୩୯ରନ , ସଦୀରା ସମରୱିକ୍ରମ ୪୦ବଲ୍ ରୁ ୩୬ ରନ କରିଥିଲେ । ମହୀଶ ତୀକ୍ଷଣା ୨୯ ରନ, ଏଞ୍ଜେଲୋ ମାଥୁ୍ୟସ ୨୩, ଚରିଥ୍ ଆସାଲଙ୍କା ୨୨ରନ କରିଥିଲେ । ଶ୍ରୀଲଙ୍କା ୪୯ ଓଭର ଓ ୩ଟି ବଲରେ ୨୪୧ ରନରେ ବାନ୍ଧି ହୋଇଯାଇଥିଲା । ଆଫଗାନିସ୍ତାନ ପକ୍ଷରୁ ଫାରୁକୀ ୪ଟି, ମୁଜୀବ ୨ଟି, ଅଜମତୁଲ୍ଲା ଓମରଜାଇ ଓ ରାଶିଦ ଖାନ ଗୋଟିଏ ୱିକେଟ୍ ନେଇଥିଲେ । ଫଜଲହକ୍ ଫାରୁକୀକୁ ତାଙ୍କ ଘାତକ ବୋଲିଂ ପାଇଁ ପ୍ଲେୟର ଅଫ୍ ଦ ମ୍ୟାଚ୍ ପୁରଷ୍କାର ମିଳିଥିଲା ।